ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆଜି ମେଟ୍ରୋ ଟ୍ରେନକୁ ମିଳିଛି ଗ୍ରୀନ୍ ସିଗ୍ନାଲ୍ । ଏ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ ମେଟ୍ରୋ ଟ୍ରେନ୍ । ଏହା ଭୁବନେଶ୍ୱର ରେଳ ଷ୍ଟେସନ, ବାଣୀବିହାର, ପଟିଆ ଓ ନନ୍ଦନକାନନ ଦେଇ ଚଳାଚଳ କରିବ । ଏଥିପାଇଁ ଏଲିଭେଟେଡ୍ କରିଡର ତିଆରି ହେବ । ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହିତ ୫ଟି ସଚିବ ଭି କର୍ତ୍ତିକେୟନ ପାଣ୍ଡିଆନ୍, ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢ଼ୀ, ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥନ, ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଏହି ପ୍ରସ୍ତାବିତ କାର୍ଯ୍ୟର ସମୀକ୍ଷା କରିଥିଲେ ।
ବରିଷ୍ଠ ଅଧିକାରୀଙ୍କ ଏହି ଟିମ୍ ବିମାନ ବନ୍ଦରରୁ ରେଲୱେ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ ଓ ନନ୍ଦନକାନନ ଦେଇ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇଥିଲେ । ଏହି ସବୁ ସ୍ଥାନ ସହିତ ଅନ୍ୟାନ୍ୟ ବିଭିନ୍ନ ସ୍ଥାନରେ ଗ୍ରାଉଣ୍ଡ ଜିରୋରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟିମ୍ ରିଭ୍ୟୁ କରିଥିଲା । ଅନୁଗୋଳ-ସୁକିନ୍ଦା ରେଲୱେର ପରିଚାଳନା ନିର୍ଦ୍ଦେଶକ ଦିଲ୍ଲୀପ ସାମନ୍ଦରାୟ କହିଛନ୍ତି, ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ନିମନ୍ତେ ଅତି କମ୍ରେ ୧୦ ବର୍ଷ ଲାଗି ଯାଇଥାଏ । ଗତ ମାର୍ଚ୍ଚ ୨୭ ତାରିଖରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଭୁବନେଶ୍ୱର ଓ କଟକ ସହର ମଧ୍ୟରେ ମେଟ୍ରୋ ଟ୍ରେନ ସୁବିଧା ଯୋଗାଇ ଦେବାକୁ କେନ୍ଦ୍ର ସରକାର ଚାହାଁନ୍ତି କି ବୋଲି ପଚାରିଥିବା ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ କିଶୋର ଲିଖିତ ଉତ୍ତରରେ କହିଥିଲେ ଯେ, ମେଟ୍ରୋ ରେଳ ନୀତି-୨୦୧୭ ଅନୁସାରେ ମେଟ୍ରୋ ଟ୍ରେନ ଚଳାଚଳ ନିମନ୍ତେ ପ୍ରସ୍ତାବ ରାଜ୍ୟ ସରକାର ଅବା କେନ୍ଦ୍ରଶାସିତ ପ୍ରଦେଶର ସରକାରଙ୍କୁ ଦେବାକୁ ପଡିଥାଏ ଓ କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଅନୁଧ୍ୟାନ କରି ସହର ଓ ସହରୀ ସମୂହରେ ବ୍ୟବହାରିତା ଓ ସମ୍ବଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବକୁ ଅନୁମୋଦନ କରିଥାନ୍ତି । କିନ୍ତୁ ଭୁବନେଶ୍ୱର-କଟକ ସହର ଭିତରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ କୌଣସି ପ୍ରସ୍ତାବ ଓଡିଶା ସରକାରଙ୍କଠୁ ମିଳିନି ବୋଲି ମନ୍ତ୍ରୀ ଶ୍ରୀ କିଶୋର କହିଥିଲେ । ତେବେ ଆଜି ଏହି ନିଷ୍ପତ୍ତି ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଛି ।