ଓଡ଼ିଆ ନ୍ୟୁଜ(ବ୍ୟୁରୋ): ନିଖୋଜ ବଡ଼ମ୍ବା କାନାରା ବ୍ୟାଙ୍କ ମ୍ୟାନେଜର ଗଞ୍ଜାମରୁ ଠାବ କତାଯାଇଛି। ଗଞ୍ଜାମ ଜିଲ୍ଲା ଗିରିଶୋଲା ନିକଟରେ ତାଙ୍କୁ ଠାବ କରିଛି ପୁଲିସ୍। ଆନ୍ଧ୍ରପ୍ରଦେଶରୁ ଗିରିଶୋଲା ଆଡ଼କୁ ବାଇକରେ ଯାଉଥିବା ବେଳେ ଗୋଳନ୍ଥରା ଥାନା ପୁଲିସ ତାଙ୍କୁ ଧରିଛି। ଏବେ ତାଙ୍କୁ ଗୋଳନ୍ଥରା ଥାନାରେ ପଚରା ଉଚରା କରାଯାଉଛି। ଏ ସମ୍ପର୍କରେ ଖବର ପାଇ ତପନଙ୍କ ପରିବାର ଲୋକେ ଥାନାରେ ପହଞ୍ଚିଛନ୍ତି। ଏପରିକି ବଡ଼ମ୍ୱା ପୁଲିସ୍କୁ ମଧ୍ୟ ସୂଚନା ଦିଆଯାଇଥିବା ଜଣାପଡ଼ିଛି। ହେଲେ ତାଙ୍କ ଗାଏବ ପଛର କାରଣ କଣ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଏନେଇ ତପନ ମଧ୍ୟ ମୁହଁ ଖୋଲିନାହାନ୍ତି। ବଡ଼ମ୍ବା କାନାରା ବ୍ୟାଙ୍କ ମ୍ୟାନେଜର ହେଉଛନ୍ତି ତପନ କୁମାର ସାହୁ। ଗତ ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ଥିବାରୁ ସେ ନିଜ ଘର ବ୍ରହ୍ମପୁର ଯାଇଥିଲେ। ସୋମବାର ବାଇକ୍ରେ ବଡ଼ମ୍ୱା ଫେରୁଥିଲେ। ବ୍ରାଞ୍ଚରେ ପହଞ୍ଚିବା ବିଳମ୍ୱ ହେବ ବୋଲି ଭାବି ସେ ବାଙ୍କୀ କଳାପଥର କାନାଡା ବ୍ୟାଙ୍କ ଶାଖାକୁ ଯାଇଥିଲେ। ସେଠାରେ ଲଗ୍ଇନ୍ କରିଥିଲେ।
ଟିକେ ବିଳମ୍ୱରେ ବ୍ୟାଙ୍କରେ ପହଞ୍ଚିବେ ବୋଲି ନିଜ ସାଥୀ କର୍ମଚାରୀଙ୍କୁ ଫୋନ୍ କରି ସୂଚନା ଦେଇଥିଲେ। ବହୁ ସମୟ ବିତିଗଲା। ହେଲେ ତପନ ବ୍ୟାଙ୍କରେ ପହଞ୍ଚିଲେ ନାହିଁ। ସାଥୀ କର୍ମଚାରୀମାନେ ତପନଙ୍କ ମୋବାଇଲ୍କୁ ଫୋନ୍ କରିଥିଲେ। ମାତ୍ର ତାଙ୍କ ମୋବାଇଲ୍ ବନ୍ଦ ଥିବା ଜଣାପଡ଼ିଥିଲା। ଏହା ପରେ କଳାପଥର କାନାଡ଼ା ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ସେ ଏନେଇ ତପନଙ୍କ ପରିବାର ଲୋକଙ୍କୁ ଅବଗତ କରାଇଥିଲେ। ପରେ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବଡ଼ମ୍ୱା ପୁଲିସ୍ ଘଟଣାର ତଦନ୍ତ ଚଳାଇଥିଲା। ହେଲେ ତାଙ୍କର ପତ୍ତା ପାଉନଥିଲା। ମ୍ୟାନେଜର ତପନ କୁମାର ସାହୁଙ୍କ ପତ୍ତା ପାଇବା ପାଇଁ କଟକ ଗ୍ରାମାଞ୍ଚଳ ପୁଲିସ୍ ଗଞ୍ଜାମ ଜିଲ୍ଲାର ସବୁ ଥାନା ଓ ଅନ୍ୟ ଜିଲ୍ଲାର ଥାନାର ସହଯୋଗ ଲୋଡ଼ିଥିଲା। ଏଥିସହ ତପନଙ୍କ ମୋବାଇଲ୍କୁ ନିୟମିତ ଟ୍ରାକ୍ କରାଯାଉଥିଲା। ସେହି ସମୟରେ ତପନଙ୍କ ମୋବାଇଲ୍ ଗଞ୍ଜାମରେ ଥିବା ଟ୍ରାକ୍ ହୋଇଥିଲା। ଏହା ପରେ ତତ୍ପର ହୋଇଥିଲା ଗଞ୍ଜାମ ପୁଲିସ୍। ଆଜି ସନ୍ଧ୍ୟା ପ୍ରାୟ ୬ରୁ ୭ଟା ଗୋଳନ୍ଥରା ଥାନା ପୁଲିସ୍ ଗିରିଶୋଲା ଛକଠାରେ ଯାଞ୍ଚ କରୁଥିଲା। ଠିକ୍ ସେହି ସମୟରେ ବାଇକ୍ରେ ଯାଉଥିବା ବେଳେ ତପନକୁ ଧରିଥିଲା ପୁଲିସ୍।