ଓଡ଼ିଆ ନ୍ୟୁଜ୍: ବଢିଲା ବିଧାୟକଙ୍କ ଦରମା। ବିଧାୟକଙ୍କ ପାଇଁ ଖୁସି ଖବର ଦେଇ ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଆଜି ଅଧିବେଶନର ଶେଷ ଦିନରେ ବିଧାୟକମାନଙ୍କୁ ସରକାର ଦେଇଛନ୍ତି ବଡ଼ ଉପହାର। ପାରିତ ହୋଇଛି ବିଧାୟକ, ପୂର୍ବତନ ବିଧାୟକ, ବାଚସ୍ପତି, ଉପ ବାଚସ୍ପତିଙ୍କ ଦରମା, ଭତ୍ତା ଓ ପେନସନ ବୃଦ୍ଧି ସମ୍ପର୍କିତ ସଂଶୋଧିତ ବିଲ। ଯେଉଁଥିରେ ବିଧାୟକଙ୍କ ଦରମା ୧ ଲକ୍ଷରୁ ସାଢ଼େ ୩ ଲକ୍ଷକୁ ପହଞ୍ଚିବ।
ଆଗରୁ ପାଉଥିଲେ ଲକ୍ଷେ, ଏବେ ପାଇବେ ସାଢ଼େ ୩ ଲକ୍ଷ। ଏକାଥରକେ ଦରମା ବଢ଼ିବ ଅଢେଇ ଗୁଣା। ବିଧାନସଭା ଶୀତ ଅଧିବେଶନର ଶେଷ ଦିନରେ ବିଧାୟକମାନଙ୍କ ପାଇଁ ଆସିଲା ଖୁସି ଖବର। ଆଜି ଗୃହରେ ସର୍ବସମ୍ମତିକ୍ରମେ ପାରିତ ହୋଇଛି ବିଧାୟକ, ପୂର୍ବତନ ବିଧାୟକ, ବାଚସ୍ପତି, ଉପ ବାଚସ୍ପତିଙ୍କ ଦରମା, ଭତ୍ତା ଓ ପେନସନ ବୃଦ୍ଧି ସମ୍ପର୍କିତ ସଂଶୋଧିତ ବିଲ। ଫଳରେ ଏଣିକି ବିଧାୟକର ମୂଳ ଦରମା ୩୫ ହଜାରରୁ ବଢ଼ି ୯୦ ହଜାରକୁ ବୃଦ୍ଧି ପାଇଛି।
ସେହିଭଳି ନିର୍ବାଚନ ମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ବାବଦକୁ ଭତ୍ତା ୨୦ ହଜାର ବଦଳରେ ୭୫ ହଜାରକୁ ବୃଦ୍ଧି ପାଇବ। କମିଟି ବୈଠକ ଭତ୍ତା ୧୫୦୦ ଟଙ୍କା ବଦଳରେ ମିଳିବ ୩୦୦୦ ଟଙ୍କା। ରାଜ୍ୟ ବାହାରେ ବୈଠକ ପାଇଁ ଦୈନିକ ୨୦୦୦ ବଦଳରେ ୧୦ ହଜାର ଟଙ୍କା ଏବଂ ରାଜ୍ୟ ଭିତରେ କାର ଯାତ୍ରା ପାଇଁ କିଲୋମିଟର ପିଛା ୨୫ ଟଙ୍କା ବଦଳରେ ମିଳିବ ୩୫ ଟଙ୍କା। ମାସିକ ଯାନବାହାନ ଭତ୍ତା ୧୫ ହଜାର ବଦଳରେ ମିଳିବ ୫୦ ହଜାର।
ଏହାସହ ମାସକୁ ପୁସ୍ତକ କିଣା ପାଇଁ ୨ ହଜାର ବଦଳରେ ୧୦ ହଜାର, ବିଜୁଳି ବିଲ ପାଇଁ ୫ ହଜାର ବଦଳରେ ୨୦ ହଜାର, ଚିକିତ୍ସା ଖର୍ଚ୍ଚ ୫ ହଜାର ବଦଳରେ ୩୫ ହଜାର ଟଙ୍କା ମିଳିବ। କ୍ୱାର୍ଟର ମିଳିନଥିବା ବିଧାୟକଙ୍କୁ ରହଣି ପାଇଁ ଦିନକୁ ହଜାରେ ବଦଳରେ ୨ ହଜାର ଟଙ୍କା ମିଳିବ। ଗାଡି କିଣିବାକୁ ଅଗ୍ରୀମ ବାବଦରେ ୫ ଲକ୍ଷ ବଦଳରେ ୧୦ ଲକ୍ଷ ପାଇବେ। ଏହାସହ ବାଚସ୍ପତି ଓ ଉପ ବାଚସ୍ପତିଙ୍କର ଦରମା ଓ ଭତ୍ତା ବି ବୃଦ୍ଧି ପାଇବ। ବିଧାନସଭାରେ ଏହି ବିଲ ଆଲୋଚନା ବେଳେ ଏକ ହୋଇଥିଲା ଉଭୟ ଶାସକ ଓ ବିରୋଧୀଙ୍କ ସ୍ବର।