ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ସମୟରେ ଦେଖିବାକୁ ମିଳିଲା ରୋଚକ ଘଟଣା । ପ୍ରଶଂସା ଆଳରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ । ଗେହଲଟଙ୍କୁ ପ୍ରଶଂସା ଓ ନିଜର ବନ୍ଧୁ ବୋଲି ମୋଦି କହିଥିଲେ ହେଁ ତେର୍ଚ୍ଛାବାଣ ମାରିବାକୁ ଭୁଲି ନାହାନ୍ତି। ଗୋଟିଏ ପଟେ ଗେହଲଟ ସରକାରଙ୍କ ବିରୋଧରେ ଖୋଦ କଂଗ୍ରେସ ନେତା ସଚିନ ପାଇଲଟ ବିକ୍ଷୋଭ କରୁଛନ୍ତି। ଗେହଲଟ ସରକାର ଦୁର୍ନୀତି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଉ ନଥିବାରୁ ପାଇଲଟ ମଙ୍ଗଳବାର ଅନଶନ କରିଥିଲେ। ସେହିପରି ରାହୁଲ ଗାନ୍ଧିଙ୍କ ସଦସ୍ୟତା ପଦ ରଦ୍ଦକୁ ନେଇ ମଧ୍ୟ କଂଗ୍ରେସରେ ଟଣାଓଟରା ସ୍ଥିତି ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ମୋଦି ଏପରି କଥା କହିଛନ୍ତି।
ବନ୍ଦେ ଭାରତ ଏକ୍ସପ୍ରେସକୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିବା ପରେ ମୋଦି ସମସ୍ତଙ୍କୁ ସମ୍ବୋଧନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗେହଲଟ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣର ଶେଷ ଭାଗରେ କହିଥିଲେ ଯେ “ମୁଁ ସ୍ୱତନ୍ତ୍ର ଭାବେ ଗେହଲଟଜୀଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି। ଏବେ ସେ ଅନେକ ପ୍ରକାରର ରାଜନୀତିକ ସଙ୍କଟ ଦେଇ ଗତି କରୁଛନ୍ତି। କିନ୍ତୁ ଏତେ ସବୁ ବିବାଦ ସତ୍ତ୍ୱେ ସେ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ସମୟ ବାହାର କରିପାରିଛନ୍ତି। ସେ ରେଳବାଇ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ମୁଁ ତାଙ୍କୁ ସ୍ୱାଗତ କରୁଛି।” କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଜ୍ୟପାଳ କଲରାଜ ମିଶ୍ରା ମଧ୍ୟ ଉପସ୍ଥିତ ଥିଲେ।ରେଳମନ୍ତ୍ରୀ ଓ ରେଳବାଇ ବୋର୍ଡ ଚେୟାରମ୍ୟାନ୍ ଉଭୟ ରାଜସ୍ଥାନର ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ମୁଁ କହିବାକୁ ଚାହୁଁଛି ଯେ ଗେହଲଟଜୀ ଆପଣଙ୍କ ଦୁଇ ହାତରେ ଲଡୁ ରହିଛି। ରେଳବାଇ ମନ୍ତ୍ରୀ ରାଜସ୍ଥାନର ହୋଇଥିବା ବେଳେ ରେଳ ବୋର୍ଡ ଅଧ୍ୟକ୍ଷ ମଧ୍ୟ ରାଜସ୍ଥାନର। ଯେଉଁ କାମ ସ୍ୱାଧୀନତା ପରେପରେ ହେବା କଥା ସେ କାମଗୁଡ଼ିକ ଏଯାଏ ହୋଇପାରିନି।”
ସେପଟେ ରବିବାର ‘ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍’ ଚଳାଚଳର ଶୁଭାରମ୍ଭ ସମୟରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆରଙ୍କୁ କଟାକ୍ଷ କରିଥିଲେ ମୋଦି । କହିଥିଲେ, ତେଲେଙ୍ଗାନାବାସୀଙ୍କୁ ପରିବାରବାଦ ଏବଂ ଦୁର୍ନୀତି ବିରୋଧରେ ଲଢ଼ିବାକୁ ପଡ଼ିବ। ମୋଦୀ କହିଛନ୍ତି, ଆମେ ସାରା ଦେଶରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ବୃଦ୍ଧି କରିଛୁ, କିନ୍ତୁ ଏହା ପୂର୍ବରୁ କାହିଁକି ଘଟିଲା ନାହିଁ? ସେ କହିଛନ୍ତି, ଏହା ଘଟିଲା ନାହିଁ କାରଣ ପରିବାରବାଦ ଶକ୍ତିମାନେ ସିଷ୍ଟମ ଉପରେ ନିଜର ନିୟନ୍ତ୍ରଣ ଛାଡ଼ିବାକୁ ଚାହୁଁନଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, କେଉଁ ହିତାଧିକାରୀ କେତେ ଲାଭ ପାଇବେ, ଏହି କ୍ଷମତା ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ |
ମୋଦି ଆହୁରି ବି କହିଥିଲେ, ତେଲେଙ୍ଗାନାର ଲୋକଙ୍କୁ ପରିବାରବାଦ ଏବଂ ଭ୍ରଷ୍ଟାଚାର ବିରୋଧରେ ଲଢ଼ିବାକୁ ପଡ଼ିବ। ସେ କହିଛନ୍ତି ଯେ କେନ୍ଦ୍ରର ପ୍ରକଳ୍ପଗୁଡିକରେ ରାଜ୍ୟ ସରକାର ସହଯୋଗ କରୁନଥିବାରୁ ଏହା ହୋଇପାରୁନାହିଁ ଓ ଏହାର ଲାଭ ଜନସାଧାରଣଙ୍କ ପାଇପାରୁନାହାନ୍ତି । ବିକାଶ କାର୍ଯ୍ୟକୁ ଦେଖି କିଛି ଲୋକ ବିବ୍ରତ ଅଛନ୍ତି, ଏହି ଲୋକମାନେ ପ୍ରତ୍ୟେକ ପ୍ରକଳ୍ପରେ ନିଜ ପରିବାରର ଭାଗିଦାର ଚାଁହୁଥିଲେ ଏବଂ ସେମାନେ ସିଷ୍ଟମ ଉପରେ ନିୟନ୍ତ୍ରଣ ଛାଡିବାକୁ ଚାଁହୁନଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତେଲେଙ୍ଗାନା ଏକ ଅଲଗା ରାଜ୍ୟ ହେବାକୁ ଯେତିକି ଦିନ ହେଲାଣି, ସେତିକି ସମୟ କେନ୍ଦ୍ରରେ ଏନଡିଏ ସରକାରକୁ ମଧ୍ୟ ପୁରିଛି | ଆମେ ସବକା ସାଥ, ସବକା ବିକାଶ, ସବକା ପ୍ରୟାସ, ସବକା ବିଶ୍ୱାସର ସ୍ଲୋଗାନ ସହ ଆଗକୁ ବଢ଼ୁଛୁ। ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ତେଲେଙ୍ଗାନା-ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ଅନ୍ୟ ଏକ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରାଯାଇଛି। ଏହି ଟ୍ରେନ୍ ଆସ୍ଥା, ଆଧୁନିକତା ଏବଂ ପର୍ଯ୍ୟଟନକୁ ସଂଯୋଗ କରିବାକୁ ଯାଉଛି | ବନ୍ଦେ ଭାରତ ଟ୍ରେନ୍ ଭାଗ୍ୟଲକ୍ଷ୍ମୀ ମନ୍ଦିର ସହ ଭଗବାନ ଭେଙ୍କଟେଶ୍ୱରଙ୍କ ସହରକୁ ସଂଯୋଗ କରିବ ।