ମୋଦି କହିଲେ କଂଗ୍ରେସ ଆଉ ‘ଗ୍ୟାରେଣ୍ଟି’ ଦେବା ଅବସ୍ଥାରେ ନାହିଁ

0

ଓଡିଆ ନ୍ୟୁଜ (ବ୍ୟୁରୋ) : କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଥ୍‌ କର୍ମଚାରୀଙ୍କ ସହ କଥା ହୋଇଛନ୍ତି । ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ବୁଥ୍‌କର୍ମୀମାନଙ୍କ ସହିତ କଥାବାର୍ତ୍ତା କରିବା ବେଳେ କଂଗ୍ରେସର ମାଗଣା ସଂସ୍କୃତି ସଂକ୍ରାନ୍ତ ଗୋଟାଏ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଆନନ୍ଦିତ ଯେ, ଏବେ ଦକ୍ଷିଣ ଭାରତରେ ମଧ୍ୟ ଜନସାଧରରଣ ‘ରେବ୍‌ଡି’ର (ମାଗଣା ଉପହାର) ଅର୍ଥ ବୁଝିଲେଣି । ଜନକଲ୍ୟାଣରେ ଆଗ୍ରହ ନ ଥିବା କେତେକ ରାଜନୈତିକ ଦଳ ଏହି ମାଗଣା ସଂସ୍କୃତି ଆରମ୍ଭ କରିଛନ୍ତି ।

କିନ୍ତୁ, ସରକାର ଏମିତି ଚାଲେ ନାହିଁ । ସରକାର କେବଳ ଆଜି ଓ ଆଗାମୀକାଲିର କଥା ଚିନ୍ତା କରେ ନାହିଁ । ସରକାର ଆଗାମୀ ପିଢିଙ୍କ କଥା ଚିନ୍ତା କରେ । ସେ ଆହୁରି ମଧ୍ୟ କହିଛନ୍ତି, ହିମାଚଳ ପ୍ରଦେଶର ଜନସାଧାରଣ ସେମାନଙ୍କର ନିର୍ବାଚନ ‘ଗ୍ୟାରେଣ୍ଟିକୁ ଅପେକ୍ଷା କରିଛନ୍ତି । ୪ ବର୍ଷ ପରେ ଏବେ ରାଜସ୍ଥାନବାସୀ ପ୍ରତିବାଦ ଆରମ୍ଭ କରିଛନ୍ତି । କଂଗ୍ରେସ ଆଉ ‘ଗ୍ୟାରେଣ୍ଟି’ ଦେବା ଅବସ୍ଥାରେ ନାହିଁ । କଂଗ୍ରେସର ଅର୍ଥ ହେଉଛି ନିରୋଳା ଦୁର୍ନୀତି ଓ ମିଥ୍ୟା । କଂଗ୍ରେସ କି ଗ୍ୟାରେଣ୍ଟି ଦେଇ ପାରିବ ତା’ର ‘ୱାରେଣ୍ଟି’ ଶେଷ ହୋଇଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟ ‘ବିଜେପି’ ପ୍ରତି କର୍ଣ୍ଣାଟକର ଅଗାଧ ବିଶ୍ୱାସ ରହିଛି । ‘ବିଜେପି’ ନେତାମାନେ ପ୍ରଚାର ଅଭିଯାନରେ ଯେଉଁଆଡେଯାଉଛନ୍ତି, ସେଠାରେ ତାହା ଦେଖିବାକୁ ମିଳୁଛି । ଜଣେ ବୁଥକର୍ମୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଲେ, ୧୦ଜଣ ପୁରୁଷ ଓ ୧୦ଜଣ ମହିଳାଙ୍କୁ ନେଇ ବଳିଷ୍ଠ ଟିମ୍‌ଟିଏ ଗଠନ କର, ଯେଉଁମାନେ ଘର ଘର ବୁଲି ଲୋକଙ୍କୁ ‘ଡବଲ୍‌-ଇଞ୍ଜିନ୍‌’ ସରକାରର କାର୍ଯ୍ୟ ବିଷୟରେ କହିବେ । ଆପଣଙ୍କ ପାଖରେ ସମସ୍ତ ସୂଚନା ଗୋଟାଏ ଡାଏରିରେ ଥିବା ଉଚିତ । ପ୍ରତି ଘରେ ଘଣ୍ଟାଏ ଲେଖାଁ ବିତାଅ । ସେଠାରେ ବୟୋଜ୍‌ୟେଷ୍ଠମାନଙ୍କର ଆଶିଷ ଭିକ୍ଷାକର ।

ଏହା ସହିତ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆପଣ ମାରୁତି କାର୍‌ର ଚକ ନେଇ ଟ୍ରାକ୍ଟର୍‌ରେ ଲଗାଇବେ, ତାହା କ’ଣ ଚାଲିବ? ନା । ତେଣୁ ‘ଡବଲ୍‌-ଇଞ୍ଜିନ୍‌’ ସରକାର ଭଳି ଏକ ପ୍ରକାରର ବ୍ୟବସ୍ଥା ହିଁ ବିକାଶ ସୁନିଶ୍ଚିତ କରିପାରିବ । ଜନସାଧାରଣଙ୍କୁ ଏହି ଛୋଟ ଛୋଟ କଥା ସବୁ କୁହନ୍ତୁ । ଦୀର୍ଘ ଭାଷଣ ଦେବା ଅନାବଶ୍ୟକ ବୋଲି ମୋଦି କହିଛନ୍ତି ।

Leave A Reply

Your email address will not be published.