ୟୁକ୍ରେନରେ ପହଞ୍ଚିଲେ ମୋଦୀ, ଜେଲେନ୍‌ସ୍କିଙ୍କ ସହିତ କରିବେ ଦ୍ଵିପାକ୍ଷିକ ଆଲୋଚନା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୋଲାଣ୍ଡ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ଗସ୍ତରେ ଯାଇ ଶୁକ୍ରବାର କିଭ୍‌ରେ ପହଞ୍ଚିଛନ୍ତି।   ୧୯୯୧ରେ ୟୁକ୍ରେନର ସ୍ୱାଧୀନତା ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ୟୁକ୍ରେନ ଗସ୍ତ। ତେବେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କ ନିମନ୍ତ୍ରଣ କ୍ରମେ ଦିନିକିଆ ୟୁକ୍ରେନ ଗସ୍ତରେ ଯାଇଛନ୍ତି ମୋଦି ।

ଏହି ଅବସରରେ ଋଷ-ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ନେଇ ଚର୍ଚ୍ଚା । ପ୍ରଧାନମନ୍ତ୍ରୀ କିଭ୍‌ କେନ୍ଦ୍ରୀୟ ରେଳ ଷ୍ଟେସନରେ ପହଞ୍ଚିବା ପରେ ୟୁକ୍ରେନର ପଦାଧିକାରୀମାନେ ତାଙ୍କୁ ସ୍ଵାଗତ କରିଥିଲେ। ଏହା ସହିତ ୟୁକ୍ରେନରେ ରହୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ମଧ୍ୟ ମୋଦୀଙ୍କୁ ସ୍ଵାଗତ କରାଯାଇଥିଲା। ଯୁଦ୍ଧଗ୍ରସ୍ତ ୟୁକ୍ରେନର ସ୍ବାଧୀନତା ପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୟୁକ୍ରେନ ମାଟିରେ ପାଦ ରଖିଛନ୍ତି ମୋଦି ।

ତାହାପୁଣି ଏକ ଘଡିସନ୍ଧି ମୁହୂର୍ତ୍ତରେ । ଯାହାକୁ ନେଇ ଅନେକ ରାଜନୈତିକ ମହଲରେ ଚର୍ଚ୍ଚା । ଆଜି ସକାଳ ପ୍ରାୟ ୭.୩୦ ରେ ମୋଦି କିଭରେ ପହଞ୍ଚିବା ପରେ ସେଠୁ ଏକ ହୋଟେଲକୁ ଯାଇଥିଲେ । ଯେଉଁଠି ତାଙ୍କୁ ଭାରତୀୟ ବଂଶୋଦ୍ଭବଙ୍କ ଦ୍ବାରା ଏକ ଭବ୍ୟ ସ୍ବାଗତ ମିଳିଥିଲା । ମୋଦି ମୋଦି ଓ ‘ଭାରତ ମାତା କି ଜୟ’ ଧ୍ବିନିରେ ପ୍ରକମ୍ପିତ ହୋଇଥିଲା କିଭ୍ ମାଟି  ।

Comments are closed.