ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଲେଜ ଡିଗ୍ରୀକୁ ନେଇ ବିବାଦରେ କୋର୍ଟଙ୍କ ରାୟ ପରେ ମଧ୍ୟ ବିରୋଧୀଙ୍କ ମୁହଁ ବନ୍ଦ ହୋଇନି। ନାନା ସମୟରେ ଏନେଇ ପ୍ରଶ୍ନ ଉଠାଉଛନ୍ତି ବିରୋଧି।ଯାହାକୁ ନେଇ ବଡ଼ ବୟାନ ଦେଇଛନ୍ତି ଏନସିପି ନେତା ଅଜିତ ପାୱାର । ମନ୍ତ୍ରୀମାନଙ୍କ ଡିଗ୍ରୀକୁ ନେଇ ପ୍ରଶ୍ନ କରିବା ଠିକ ନୁହେଁ ଓ ଲୋକମାନେ ଜଣେ ନେତା ତା’ର ଶାସନକାଳ ମଧ୍ୟରେ କ’ଣ ସବୁ ସଫଳତା ପାଇଛନ୍ତି, ତା’ ଉପରେ ଫୋକସ କରିବା ଦରକାର ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀକୁ ନେଇ ଚାଲିଥିବା ବିତର୍କ ପ୍ରସଙ୍ଗରେ ସେ କହିଛନ୍ତି, “୨୦୧୪ରେ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଡିଗ୍ରୀ ଆଧାରରେ ଭୋଟ ଦେଇଥଲେ କି? ସେ ଏମିତି ଏକ କରିଶ୍ମା ସୃଷ୍ଟି କରିଥିଲେ, ଯାହା ନିର୍ବାଚନ ଜିତାଇବାରେ ତାଙ୍କୁ ସହାୟକ ହୋଇଥିଲା। ଏବେ ସେ ୯ ବର୍ଷ ହେଲା ଦେଶକୁ ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କ ଡିଗ୍ରୀ ସମ୍ପର୍କରେ ପଚାରିବା ଠିକ ନୁହେଁ। ତାଙ୍କୁ ଆମେ ମୁଦ୍ରାସ୍ଫୀତି ଓ ବେକାରୀ ଭଳି ସମସ୍ୟା ସମ୍ପର୍କରେ ପ୍ରଶ୍ନ କରିବା ଉଚିତ। ମନ୍ତ୍ରୀଙ୍କ ଡିଗ୍ରୀ ଆଦୌ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ।” ସେ ପଚାରିଛନ୍ତି ଯେ “ଆମେ ଡିଗ୍ରୀ ସମ୍ପର୍କରେ ତଥ୍ୟ ପାଇଗଲେ କ’ଣ ମୁଦ୍ରାସ୍ଫୀତି ହ୍ରାସ ପାଇଯିବ? ତାଙ୍କ ଡିଗ୍ରୀ ସମ୍ପର୍କରେ ଜାଣିନେଲେ କ’ଣ ଯୁବଗୋଷ୍ଠୀ ଚାକିରି ପାଇଯିବେ?” ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ଜାଣିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହାକୁ ଖାରଜ କରିବା ସହ ୨୫ ହଜାର ଟଙ୍କାର ଜୋରିମାନା ଲାଗୁ କରିଥିଲେ। ତଥାପି କେଜ୍ରିୱାଲ ତାଙ୍କ ଜିଦରେ ଅଟଳ ରହିବା ସହ ପ୍ରଧାନମନ୍ତ୍ରୀ ତାଙ୍କ ଡିଗ୍ରୀ ସମ୍ପର୍କିତ ତଥ୍ୟ ପବ୍ଲିକ ଡୋମେନରେ ସାର୍ବଜନୀନ କରିବା ପାଇଁ କହିଛନ୍ତି।\

ପୂର୍ଗୁବରୁ ଗୁଜରାଟ ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏ ସମ୍ପର୍କିତ ଆବେଦନକୁ ଖାରଜ କରିଥିଲେ ହେଁ ଏବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହାକୁ ଉଠାଇଛନ୍ତି। ସେ କଲେଜ ଡିଗ୍ରୀ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତେର୍ଚ୍ଛାବାଣ ମାରିଛନ୍ତି। କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଥିବା ବେଳେ ଗୁଜରାଟ ହାଇକୋର୍ଟ ତାଙ୍କ ଉପରେ ୨୫ ହଜାର ଟଙ୍କା ଜୋରିମାନା ଲଗାଇଥିଲେ। ଏବେ ଉଦ୍ଧବ ଠାକରେ ଏହି ପ୍ରସଙ୍ଗରେ କହିଛନ୍ତି ଯେ “ଦେଶରେ ଅନେକ ଯୁବକ ଡିଗ୍ରୀ ଧରି ରହିଥିଲେ ହେଁ ସେମାନଙ୍କୁ ଚାକିରି ମିଳୁନି। ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଡିଗ୍ରୀ ଦେଖାଇବାକୁ କୁହାଯାଉଛି ସେତେବେଳେ ୨୫ ହଜାର ଟଙ୍କାର ଫାଇନ ଲାଗୁ କରାଯାଉଛି। କ’ଣ ପାଇଁ ପ୍ରଧାନମନ୍ତ୍ରୀ ଯେଉଁ କଲେଜରେ ପଢ଼ୁଥିଲେ ସେଠାକାର କର୍ତ୍ତୃପକ୍ଷ ଗର୍ବ କରିବା ପାଇଁ ସାମ୍ନାକୁ ଆସୁ ନାହାନ୍ତି? ଯେଉଁଠାରେ ପ୍ରଧାନମନ୍ତ୍ରୀ ପଢ଼ୁଥିଲେ, ସେ କଲେଜ କାହିଁକି ସାମ୍ନାକୁ ଆସୁନି?” ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀର ନେତୃତ୍ୱ ନେଉଥିବା ଉଦ୍ଧବ ଠାକରେ ବିଜେପିକୁ ମଧ୍ୟ ସମାଲୋଚନା କରିଛନ୍ତି। କଂଗ୍ରେସ ଓ ଏନସିପି ସହ ମିଶି ଉଦ୍ଧବ ଠାକରେ ଏକଦା ମହରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ୩ ଦଳ ଭିତରେ ଆଦର୍ଶଗତ ପାର୍ଥକ୍ୟ ଥିଲେ ମଧ୍ୟ କ୍ଷମତା ପାଇଁ ଉଦ୍ଧବ ଠାକରେ କଂଗ୍ରେସ ଓ ଏନସିପି ସହ ହାତ ମିଳାଇଥିଲେ ବୋଲି ବିଜେପି ବାରମ୍ବାର ଅଭିଯୋଗ କରି ଆସିଥିଲା।

ଏହାର ଜବାବରେ ଉଦ୍ଧବ ଠାକେର କହିଛନ୍ତି, “ହଁ, ଆମେ କ୍ଷମତା ପାଇଁ ଏକାଠି ହୋଇଥିଲୁ। କିନ୍ତୁ କ୍ଷମତା ଚାଲିଯିବା ପରେ ମଧ୍ୟ ଆମେ ଏକାଠି ଅଛୁ ଓ ପୂର୍ବଠାରୁ ଆହୁରି ଶକ୍ତିଶାଳୀ ହୋଇଛୁ। ଯେତେବେଳେ ବି ନିର୍ବାଚନ ଆସିଲା, ସେମାନେ(ବିଜେପି) ଲୋକଙ୍କ ଧ୍ରୁବୀକରଣ ଆରମ୍ଭ କରୁଛନ୍ତି। ସେମାନେ କହୁଛନ୍ତି ଯେ ବର୍ତ୍ତମାନ ମହାନ ହିନ୍ଦୁ ପ୍ରଧାନମନ୍ତ୍ରୀ ଅଛନ୍ତି। ଏହା ସତ୍ତ୍ୱେ ଆକ୍ରୋଶ ସଭା କରୁଛନ୍ତି। କୁଆଡ଼େ ଗଲା ତାଙ୍କ ମହାନତା? ସେମାନେ ମୋ ଉପରେ ଅଭିଯୋଗ ଲଗାଉଛନ୍ତି ଯେ ମୁଁ ହିନ୍ଦୁତ୍ୱକୁ ଛାଡ଼ି ଦେଇଛି। ହେଲେ ମୁଁ ହିନ୍ଦୁତ୍ୱ ଛାଡ଼ି ଦେଇଛି ବୋଲି ସେମାନେ ଗୋଟିଏ ଉଦାହରଣ ଦିଅନ୍ତୁ। ସମ୍ବିଧାନକୁ ଛୁଇଁ ଶପଥ ନେଇବା ପରେ ଯଦି ଆପଣମାନେ ଧ୍ରୁବୀକରଣ ରାଜନୀତି କରିବେ, ତା’ହେଲେ ଆପଣ ସମ୍ବିଧାନକୁ ଅପମାନିତ କରୁଛନ୍ତି।” ସେ ଦାବି କରିଛନ୍ତି ଯେ ବିଜେପି ନ୍ୟାୟପାଳିକାକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛି। ହେଲେ ସୌଭାଗ୍ୟବଶତଃ ଏଥିପାଇଁ ଅନୁମତି ପାଇନି। ଉଦ୍ଧବ ଏହି ସମୟରେ ଇସ୍ରାଏଲର ଉଦହାରଣ ମଧ୍ୟ ଦେଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନ୍ୟାୟପାଳିକା ଉପରେ ନିୟନ୍ତ୍ରଣ କରିବାକୁ ବିଲ ଆଣିଥିଲେ। ହେଲାକୁ ସେଠାରକାର ଲୋକ ଜୋରଦାର ବିରୋଧ କରିଥିଲେ।