କଳାବଜାରୀ କିମ୍ବା ଗଚ୍ଛିତ କିମ୍ବା ନକଲି ସାରର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ: ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ସରିଲା ବୈଠକ। ଲୋକସେବା ଭବନ ରେ ସାର ଆବଣ୍ଟନକୁ ନେଇ ବସିଥିବା ବୈଠକ ଶେଷ ହୋଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କରି ସମସ୍ତ ଜିଲ୍ଲାରେ ଥିବା ପାକ୍ସ ଏବଂ ଲାମ୍ପସ ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ତଦାରଖ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ କଡାକଡି ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପ୍ରକାର କଳାବଜାରୀ କିମ୍ବା ଗଚ୍ଛିତ କିମ୍ବା ନକଲି ସାରର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାଞ୍ଚ ସ୍ଥାନରେ ସାରକୁ ଜବତ ନକରି ସେହି ସାରକୁ ନିକଟସ୍ଥ ପାକ୍ସ କିମ୍ବା ଲାମ୍ପସ୍‌କୁ ସ୍ଥାନାନ୍ତରିତ କରି ଚାଷୀଙ୍କୁ ଆବଣ୍ଟନ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଲୋକସେବା ଭବନ ଠାରେ ଆୟୋଜିତ ବୈଠକର ଆଲୋଚନାରୁ ଜଣାଯାଇଛି ଯେ, ରାଜ୍ୟରେ ସାରର କୌଣସି ଅଭାବ ନାହିଁ। ସମସ୍ତ ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ସାର ଆବଣ୍ଟନ କାର୍ଯ୍ୟ ସୁରୁଖୁରରେ ଚାଲିଛି। ସୂଚନା ଅନୁଯାୟୀ, ୨୦୨୫ ଖରିଫ ଋତୁରେ ସେପ୍ଟେମ୍ବର ୩୦ ସୁଦ୍ଧା ସମୁଦାୟ ୯,୫୫,୦୦୦ ମେଟ୍ରିକ ଟନ ସାର ଆବଶ୍ୟକ ଥିବାବେଳେ କେନ୍ଦ୍ର ସରକାର ଏହି ପରିମାଣର ସାର ଆବଣ୍ଟନ କରିଛନ୍ତି। ଆବଶ୍ୟକ ହେଲେ ଅଧିକ ସାର ପାଇଁ ଅନୁରୋଧ କରାଯିବ। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ସମୁଦାୟ ମହଜୁଦ ଥିବା ୧୧,୬୬,୭୩୩ ମେଟ୍ରିକ ଟନ ସାର ମଧ୍ୟରୁ ୯,୮୫,୯୬୭ ମେଟ୍ରିକଟନ ସାର ବିକ୍ରି ହୋଇସାରିଛି।

 

 

Leave A Reply

Your email address will not be published.