ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ଦୀର୍ଘ ଦିନର ଶୁଖିଲା ପାଗ ପରେ ଆଜି ସାରା ରାଜ୍ୟରୁ ମୌସୁମୀ ବିଦାୟ ଦେଇଛି। ଚଳିତ ବର୍ଷ ସପ୍ତାହେ ବିଳମ୍ବରେ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ହୋଇଥିଲା। କିନ୍ତୁ ଆଜି ସ୍ବାଭାବିକ ସମୟରେ ମୌସୁମୀ ଓଡ଼ିଶାରୁ ଫେରିଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ରାଜ୍ୟକୁ ଉତ୍ତର-ପୂର୍ବ ପବନ ପ୍ରବାହିତ ହୋଇନାହିଁ।
ମେଘମୁକ୍ତ ଆକାଶ ଓ ଶୁଷ୍କ ବାୟୁ ପ୍ରବାହ ପାଇଁ ବଦଳିଛି ପାଗର ମିଜାଜ । ଅକ୍ଟୋବର ଶେଷ ମଧ୍ୟରେ ଓଡିଶାରେ ଶୀତ ପଡିବନି । ଆଜି ଓଡିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଯାଇଛି । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଉପରେ ପାରଦ ଥିବାବେଳେ ଉପକୂଳରେ କଲବଲ କରୁଛି ତାତି ସହ ଅସହ୍ୟ ଗୁଳୁଗୁଳି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ଭୁବନେଶ୍ୱରରେ ୬୦ ପ୍ରତିଶତ ଆର୍ଦ୍ରତା ରହିଛି । ଏପରିକି ତାପମାତ୍ରା ଓ ଆର୍ଦ୍ରତା ମିଶି ୩୮ ଡିଗ୍ରୀ ପାଖାପାଖି ତାତି ଅନୁଭବ ହେଉଛି । ଏହା ସହ ୨୧ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । କିନ୍ତୁ ଚଳିତ ବର୍ଷ ଅକ୍ଟୋବରରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ମଧ୍ୟ ହୋଇ ନାହିଁ ।
ସେହିଭଳି ଆକାଶ ଏବେ ମେଘମୁକ୍ତ ରହିଛି । ସୂର୍ଯ୍ୟକିରଣ ସିଧାସଳଖ ପୃଥିବୀ ପୃଷ୍ଠରେ ପଡ଼ୁଛି । ଏସବୁ କାରଣରୁ ଏବେ ଓଡ଼ିଶାରେ ପ୍ରଚଣ୍ଡ ଖରା ଓ ଗରମ ଅନୁଭୂତ ହେଉଛି । ପଶ୍ଚିମ ଭାରତରେ ଗୁରୁଚାପ ସୃଷ୍ଟି ହୋଇଛି । ଫଳରେ ସେଠାରୁ ପଶ୍ଚିମା ପବନ ବହୁଛି ଓ ଓଡ଼ିଶା ଗରମ ହେବାରେ ଲାଗିଛି ।