ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମା’ଙ୍କ ଆଗମନ ପାଇଁ ସମସ୍ତେ ଚଳଚଞ୍ଚଳ । ଶକ୍ତିପୀଠରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା । ସେପଟେ ବିଭିନ୍ନ ପୂଜା ମଣ୍ଡପରେ ମଧ୍ୟ ମା’ଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମା’ଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବିଭିନ୍ନ ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା । ଆଜି ପୀଠରେ ଷଷ୍ଠୀ । ଷୋଡ଼ଶ ଉପଚାରରେ କରାଯାଉଛି ନୀତିକାନ୍ତି । ଅଖଣ୍ଡ ଦୀପ ଲଗାଯାଇ କରାଯାଉଛି ପୂଜାର୍ଚ୍ଚନା । ସେପଟେ ଆଜି ଗାୟତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ କଟକ ଚଣ୍ଡି । ମାଆ ଗଡ଼ଚଣ୍ଡି ମଧ୍ୟ ଗାୟତ୍ରୀ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ।
ଏପଟେ ଆସନ୍ତାକାଲି ମଣ୍ଡପରେ ହେବ ଷଷ୍ଠୀ ପୂଜା । ଏଥିପାଇଁ ଜମିଲାଣି ପୂଜା ମାହୋଲ । ଶେଷ ପର୍ୟ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ତୋରଣ ବନ୍ଧା ସାଙ୍ଗକୁ ମେଢ଼ କାର୍ୟ୍ୟ ଏକପ୍ରକାର ଶେଷ ହେଲାଣି । ଆସନ୍ତାକାଲି ମାଆଙ୍କୁ ବରଣୀ କରାଯିବ । ଦୁଇବର୍ଷ ପରେ ମହାଆଡ଼ମ୍ବରରେ ପୂଜା ହେଉଥିବାରୁ ଅଧିକ ଭିଡ଼ ଜମିବ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ । ଚୋରି, ନିଶା କାରବାର ରୋକିବା ପାଇଁ ଗଠନ ହୋଇଛି ସ୍ବତନ୍ତ୍ର ଟିମ୍ । ପୂଜା ସମୟରେ ଯେପରି କୌଣସି ଅପରାଧ ନ ଘଟେ ସେଥିପାଇଁ ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ।