ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇଛି ରଥଖଳା । ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହୋଇଥିବା ବେଳେ ଅନ୍ୟପଟେ ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ଚାପ ଖେଳିବାର ପରମ୍ପରା ଆରମ୍ଭ ହୋଇଛି । ବନଜାଗ ବିଧିରେ ପୂଜା କାର୍ଯ୍ୟ ସହ ସୁନା କୁରାଢିରେ ରଥ କାଠ ଛେଦନ କରାଯାଇ ରଥ ନିର୍ମାଣ ଅନୁକୂଳ ହୋଇଛି । ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଛାମୁଣ୍ଡିଆ ବନ୍ଧା ଯାଇଥିବା ବେଳେ ପୂଜାର୍ଚ୍ଚନା ପାଇଁ ତିନି ଧଉରା କାଠ ରଖା ଯାଇଥିଲା । ବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥ ନିର୍ମାଣର ଶୁଭାରମ୍ଭ କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିଥିଲେ । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନ ସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢି ବନ୍ଧା ନୀତି ପାଳିତ ହୋଇଥିଲା । ପରେ ପୂଜାର୍ଚ୍ଚନା ସାରି ବିଶ୍ୱକର୍ମାମାନେ ଶାଢ଼ି ବନ୍ଧାଇ ସ୍ଵତନ୍ତ୍ର କୁରାଢ଼ିରେ ରଥ ନିର୍ମାଣ ଅନୁକୂଳ କରଥିଲେ । ଆସନ୍ତାକାଲି ଠାରୁ ଶ୍ରୀନହର ସମ୍ମୁଖ ଚାଳିଆରେ ପବିତ୍ର ଘୋଷ ଯାତ୍ରା ପାଇଁ ୩ଟି ରଥ ତିଆରିର ଶୁଭାରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ମହାରଣା ସେବାୟତଙ୍କ ଦ୍ବାରା ଚାଲିଛି ଚକ ପାଇଁ ତୁମ୍ଭ ନିର୍ମାଣ କାର୍ଯ୍ୟ ।
ଅନ୍ୟପଟରେ ବିଧି ମୁତାବକ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରାର ପର୍ବ ଆରମ୍ଭ ହୋଇଛି। ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରିଣୀରେ ବାହାର ଚନ୍ଦନଯାତ୍ରା ଓ ପରବର୍ତ୍ତୀ ୨୧ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ । ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଓ ପଞ୍ଚମହାଦେବ । ଶ୍ରୀଚନ୍ଦନ ଯାତ୍ରା ସମୟରେ ଭିଡକୁ ଲକ୍ଷରେ ରଖି ମୁତୟନ କରାଯାଇଛି ୨ ଜଣ ଅତିରିକ୍ତ ଏସପି, ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ୨୫ ଜଣ ସବ ଇନ୍ସପେକ୍ଟର ଓ ସବ ଇନ୍ସପେକ୍ଟର ଓ ୮ ପ୍ଲାଟୁନ ଫୋର୍ସ ।