ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ଜାଣନ୍ତୁ ନୂଆଁଖାଇର ଏହି ତତ୍ୱ

0

ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ପୁରରୁ ପଲ୍ଲୀ ସବୁଠି ଲାଗିରହିଛି ଗହଳଚହଳ । ସମସ୍ତେ ନୂଆ ପିନ୍ଧି, ନୂଆ ଖାଉଛନ୍ତି । ଏକାଠି ହୋଇ ଜୁହାର ଭେଟ୍ ହେଉଛନ୍ତି । ସମ୍ବଲପୁରର ଇଷ୍ଟଦେବୀ ମା ସମଲେଶ୍ୱେରିଙ୍କ ପୀଠ ଉତ୍ସବ ମଧ୍ୟ ମୁଖର । ମନ୍ଦିରରେ ଲାଗିରହିଛି ଭକ୍ତଙ୍କ ସମାଗମ । ସମସ୍ତଙ୍କ ଘରେ ବି କୁଣିଆ ଫୁଲ । ସମସ୍ତେ ଏକାଠି । ଘରେ ନିଜ ପରିବାର ସହ ମିଶି ପାଳୁଛନ୍ତି ନୂଆଖାଇ । ତେବେ ଆସନ୍ତୁ ଜାଣନ୍ତୁ ନୂଆଁଖାଇର ଏହି ତତ୍ୱ-

ନୂଆଖାଇ କଣ ?

ଧାନ ଅମଳର ଖୁସିରେ ନୂଆଖାଇ ପାଳନ ହୁଏ । ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ଏହି ପର୍ବ ପାଳିତ ହୋଇଥାଏ । ଏହି ଦିନ ପ୍ରତି ପରିବାରରେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିଥାନ୍ତି । ଏହି କ୍ଷୀରି “ନବାନ୍ନ” ନାମରେ ଜଣା । ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି । ନୂଆଖାଇ ପରଦିନ “ନୂଆଖାଇ ବାସି” ପାଳନ ହୁଏ । ଏହିଦିନ ବଳକା “ନବାନ୍ନ” ଆଉ କ୍ଷୀରି-ପିଠା ଖିଆହେବା ସହ ଆମିଷ ରନ୍ଧା ହୋଇଥାଏ । ବାସି ପରଦିନ “ତିଆସି” ପାଳନ ହୁଏ ଓ ଏହିଦିନ ଗ୍ରାମବାସୀମାନେ ଓ ପାରମ୍ପାରିକ ଖେଳଯଥା ଡୁଡୁ, ଖୋଖୋ, ବାଡ଼ି-ଖିଚା, କୁସ୍ତି ଆଦି ଖେଳି ଏହି ପର୍ବ ପାଳନ କରିଥାନ୍ତି ।

କାହିଁକି ନୂଆଖାଇ ?

ଓଡ଼ିଶା ଏକ କୃଷି ଭିତ୍ତିକ ରାଜ୍ୟ ହୋଇଥିବା ବେଳେ ଏହା କୃଷି ଭିତ୍ତିକ ପର୍ବ । ଧାନ ଅମଳର ଖୁସିରେ ଚାଷୀମାନେ ଏହି ପର୍ବ ପାଳନ କରିଥାନ୍ତି । ଶରତ ଋତୁ ଧରା ପୃଷ୍ଠରେ ଅବତରଣ ପରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ । ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଆଉ ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ ।

ନୂଆଖାଇ ଜୁହାର

ଗ୍ରାମ ବା ସହରର ଲୋକମାନେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ଯଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ନିଜର ବୟସ୍କମାନଙ୍କୁ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି । ଆଉ ନୂଆଖାଇ ଜୁହାର କରିଥାନ୍ତି । ମତଭେଦ ଦୂର କରି ସମସ୍ତେ ପୁଣି ଏକଜୁଟ ହୋଇ ଥାନ୍ତି ।

କେବେ ହୁଏ ନୂଆଖାଇ ?

ନୂଆଖାଇ ପର୍ବ ଆଗରୁ ପ୍ରତି ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ହେଉନଥିଲେ । ଭାଦ୍ରବ ଶୁକ୍ଳପକ୍ଷର ଯେ କୌଣସି ତିଥିରେ ଏହି ପର୍ବ ପାଳିତ ହେଉଥିଲା । ଇଷ୍ଟଦେବୀଙ୍କ ଅନୁସାରେ ନୂଆଖାଇର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ । ୧୯୯୧ ରୁ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ । ଏହା ପରେ ପଶ୍ଚିମ ଓଡ଼ିଶାର ସବୁ ମହଲରେ ଚିନ୍ତା କରାଯାଇ ଗଣେଶ ପୂଜାର ପରଦିନ ଅର୍ଥାତ ଋଷି ପଞ୍ଚମୀ ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି ।

ନୂଆାଖାଇ ବାସି

ନୂଆଖାଇ ପରଦିନକୁ ନୂଆାଖାଇ ବାସି ବୋଲି କୁହାଯାଏ । ଏହି ଦିନଟିକୁ ଭାରି ମଉଜ ମଜଲିସ ଭାବେ ପାଳନ କରାଯାଏ । ନୂଆଖାଇ ଦିନ ଇଷ୍ଟଦେବୀଙ୍କୁ ଭୋଗଲାଗି କରୁଥିବାରୁ ସେଦିନ କେହି ଆମିଷ ଖାଆନ୍ତି ନାହିଁ । ସେଥିପାଇଁ ପରଦିନ ଆମିଷ ଖାଇଥାନ୍ତି ।

ଚଳିତ ବର୍ଷ ନୂଆଁଖାଇ ପାଇଁ ଲଗ୍ନ

ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରିତ ହୋଇଛି । ସମ୍ବଲପୁର ସହରର ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିର ପରିସରରେ ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରିତ ହୋଇଛି । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଛା ଲଗ୍ନରେ ସକାଳ ୧୦ଟା ୨୭ଲଗ୍ନରୁ ସକାଳ ୧୦ଟା ୪୨ ମଧ୍ୟରେ ଶୁଭ ଲଗ୍ନ ରହିଛି । ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ ଅନୁସାରେ ଏହି ସମୟରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି କରନ୍ତି । ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରନ୍ତି ।

Leave A Reply

Your email address will not be published.