ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଡବଲ ମଡ଼ର୍ର କେଶରେ ହତ୍ୟାକାରୀ ଜ୍ୱାଇଁକୁ ଆଜୀବନ କାରାଦଣ୍ଡ ପ୍ରଦାନ | ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍ (୧) କୋର୍ଟରେ ସୋମବାର ଶାଶୁ ଓ ପତ୍ନୀକୁ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସତ୍ୟ ନାରାୟଣ ପାତ୍ର ଏହାର ବିଚାର କରି ହତ୍ୟାକାରୀ ଜ୍ୱାଇଁକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହିତ ୫୦ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୬ମାସର କାରାଦଣ୍ଡ ଭୋଗିବା ନେଇ ରାୟରେ ଉଲ୍ଲେଖ କରିଛନ୍ତି।
ହତ୍ୟାକାରୀ ମାନେ ହେଲେ ମୋରଡ଼ା ଥାନା ଅନ୍ତର୍ଗତ ଖୁଣ୍ଟାପାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତ(୫୦) ସୂଚନାଯୋଗ୍ୟ, ପୂର୍ବର କୋଣସି କାରଣ ପାଇଁ ପୂର୍ଣ୍ଣଚନ୍ଦ୍ର ମହାନ୍ତ ତାଙ୍କ ଶାଶୁ ମମତା ମହାନ୍ତ ଓ ପତ୍ନୀ ସୁନତି ମହାନ୍ତଙ୍କୁ ଗତ ୧୭/୦୬/୨୦୧୯ରେ ହତ୍ୟା କରିଥିଲେ। ସେମାନେ ଘରେ ଥିବା ବେଳେ ସକାଳ ସମୟରେ ଉତକ୍ଷିପ୍ତ ହୋଇ କୁରାଢ଼ୀରେ ଉଭୟଙ୍କୁ ହାଣି ହତ୍ୟା କରିଥିଲେ। ତେବେ ରକ୍ତ ଜୁଡୁବୁଡି ଅବସ୍ଥାରେ ପଡିଥିବା ବେଳେ ସ୍ଥାନୀୟ ଲୋକମାନେ ଉଭୟଙ୍କ ମୃତଦେହ ନେଇ ହସ୍ପିଟାଲକୁ ନେଇଥିବା ଡାକ୍ତର ମୃତ୍ୟ ଘୋଷଣା କରିଥିଲେ। ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା।
ଏନେଇ ପରିବାର ଲୋକେ ସ୍ଥାନୀୟ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କେଶ ନମ୍ବର ୫୦/୨୦୧୯ରେ ଏକ ମାମଲା ରୁଜୁ କରି ହତ୍ୟାକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୁଲିସର ତଦନ୍ତ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି। ଉକ୍ତ ମାମଲାକୁ ଅତିରିକ୍ତ ପିପି କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ।