ଓଡିଆ ନ୍ୟୁଜ୍(ବ୍ୟୁରୋ): ସକ୍ରିୟ ମୌସୁମୀ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥବା ବେଳେ ଭୁବନେଶ୍ବର ଉପକଣ୍ଠରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶନିବାର ବର୍ଷା ପାଣିରେ ବୁଡ଼ି ଯାଇଛି ମୋ-ବସ । ବସଟି ଜଟଣୀରୁ ବାହାରି ମାଷ୍ଟରକ୍ୟାଣ୍ଟିନକୁ ଆସିଥିବା ବେଳେ ଏହି ଅଘଟଣ ଘଟିଥିଲା । ଖୋର୍ଦ୍ଧା ଜଟଣୀ ଅଣ୍ଡରପାସରେ ୫ ଫୁଟ ଉପରେ ପାଣି ପ୍ରବାହିତ ହେଉଥିଲା । ଯାହା ଫଳରେ ପାଣିରେ ମୋ ବସ ବୁଡ଼ିଯାଇଥିଲା । ଯାତ୍ରୀମାନେ ପହଁରି ପହଁରି ସୁରକ୍ଷିତ ସ୍ଥାନକୁ ଆସି ଜୀବନ ରକ୍ଷା କରିଥିଲେ ।ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି
ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ମୋ ବସ ଯାତ୍ରୀଙ୍କୁ ନେଇ ଜଟଣୀରୁ ଭୁବନେଶ୍ୱର ଆସୁଥିଲା । ଜଟଣୀ ଅଣ୍ଡରପାସ ନିକଟରେ ୫ ଫୁଟ ଉପରେ ପାଣି ପ୍ରବାହିତ ହେଉଥିବା ଡ୍ରାଇଭର ଜାଣିପାରିନଥିଲା । ପାଣି ଏତେ ମାତ୍ରାରେ ଥିଲା ଯେ, ବସଟି ପ୍ରୟ ୭୫ ଭାଗ ବୁଡି ଯାଇଥିଲା । ବସରେ ଯାତ୍ରୀମାନେ ହୋହଲ୍ଲା କରିଥିଲେ । ପରେ ଡ୍ରାଇଭର ଓ ହେଲପର ଗାଡିର କାଚ ଭାଙ୍ଗିବାରୁ କିଛି ଯାତ୍ରୀ ପହଁରି ବାହାରି ଆସିଥିବା ବେଳେ ଆଉ କିଛି ଲୋକଙ୍କୁ ଡ୍ରାଇଭର ଉଦ୍ଧାର କରିଛନ୍ତି । ବୁଡ଼ିବା ସମୟରେ ବସ ଭିତରେ ୯ରୁ ୧୦ ଜଣ ଯାତ୍ରୀ ଥିଲେ । ସମସ୍ତେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଡ୍ରାଇଭରର ଅସାବଧାନତା ଯୋଗୁଁ ଏଭଳି ପରିସ୍ଥିତି ଘଟିଥିବା କୁହାଯାଉଛି । ପାଣିର ସ୍ତର କମିଲେ ହିଁ ବସଟି ଉଦ୍ଧାର ହୋଇପାରିବ ବୋଲି କୁହାଯାଉଛି । ବସଟି ୨୨ ନମ୍ବର ରୁଟରେ ଯାଉଥିବା ଜଣାପଡିଛି ।
ସେହିପରି ଭୁବନେଶ୍ୱର ବମିଖାଲ, ଇସ୍କନ ମନ୍ଦିର ସମ୍ମୁଖରେ ଏକ ନଦୀର ଭ୍ରମ ସୃଷ୍ଟି କରିଥିଲା । ରାସ୍ତା ଉପରେ ପାଣି ସୂଅ ଛୁଟିଥିବା ବେଳେ ରାସ୍ତାରେ ଶହଶହ ଗାଡି ମୋଟର ଅଟକି ରହିଥିଲା । ୟୁନିଟ୍ -୮ ଡିଏଭି ସ୍କୁଲ ସାମ୍ନା ରାସ୍ତାରେ ମଧ୍ୟ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହଠାତ୍ ବର୍ଷା ଯୋଗୁ ପାଣି ଜମି ରହି ଯାତାୟତରେ ସମସ୍ୟା ଉପୁଜିଛି । ଏହାର ସ୍ଥାୟୀ ସମାଧାନ ନେଇ ବାରମ୍ବାର ଦାବି ହେଉଥିଲେ ମଧ୍ୟ ବିଏମସି କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି ।