ଉଦଘାଟନ ହେବ ନନ୍ଦନକାନନ ରୋପ-ୱେ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରୋପୱେ ଉଦଘାଟିତ ହେବ। ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ରୋପୱେକୁ ଶୁକ୍ରବାର ଅପରାହ୍ନରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦ୍‌ଘାଟନ କରିବେ। ଆସନ୍ତାକାଲିଠୁ ପୁଣି ଥରେ ରୋପ-ୱେର ମଜା ଉଠାଇବେ ପର୍ଯ୍ୟଟକ ।

ରୋପ-ୱେ ଦ୍ୱାରା ପର୍ଯ୍ୟଟକମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଉଦ୍ଭିଦ ଉଦ୍ୟାନକୁ ଯାତ୍ରା କରିପାରିବେ ।ଉଭୟ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପାର୍ଶ୍ୱରୁ ଏହି ସୁବିଧା ପର୍ଯ୍ୟଟକମାନଙ୍କ ପାଇଁ ଉପଲବ୍ଧ ହେବ। କ୍ୟାମେରା ନିମନ୍ତେ, ଟିକଟର ମୂଲ୍ୟ ସହିତ କ୍ୟାମେରାର ଶୁଳ୍କ ଦେବାକୁ ପଡ଼ିବ । ଉଭୟ ସୁବିଧା ପାଇଁ, ରୋପୱେ କାଉଣ୍ଟର ନିକଟରେ ସ୍ୱତନ୍ତ୍ର କାଉଣ୍ଟରରେ ଟିକେଟ୍‌ ମିଳିବ । ଯେଉଁ ପର୍ଯ୍ୟଟକ ନନ୍ଦନକାନନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନରୁ ନନ୍ଦନକାନନ ଯାଇ ଭ୍ରମଣ କରିବେ, ସେମାନେ ଟିକେଟ କାଉଣ୍ଟରରୁ ଟିକେଟ କ୍ରୟ କରିବେ । ସକାଳ ୮ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହେବ।

ଏହି ରୋପୱେର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ କୋଲକାତାର ଏକ ଘରୋଇ ସଂସ୍ଥା ସହିତ ୨୦୨୧ ମସିହାରେ ଚୁକ୍ତି ହୋଇଥିଲା । ଉକ୍ତ ଚୁକ୍ତିନାମା ଅନୁସାରେ ସମସ୍ତ କାର୍ଯ୍ୟ ଶେଷ ହୋଇଛି ଓ ରୋପୱେକୁ ଚଲାଇବାକୁ ସ୍ୱୀକୃତି ମିଳିଛି । ନନ୍ଦନକାନନ ରୋପୱେ ଚାଲୁ କରିବା ପୂର୍ବରୁ ଏନଡିଆରଏଫ କାଞ୍ଜିଆ ହ୍ରଦ ଉପରେ ମକଡ୍ରିଲ କରିଥିଲା । କୌଣସି ପ୍ରକାର ଦୁର୍ଘଟଣା ଘଟିଲେ କିପରି ମୁକାବିଲା କରାଯିବ ଏବଂ ଦୁର୍ଘଟଣା ସମୟରେ ପର୍ଯ୍ୟଟକଙ୍କୁ କିପରି ଉଦ୍ଧାର କରାଯିବ ସେନେଇ ମକଡ୍ରିଲ ହୋଇଥିଲା ।

Leave A Reply

Your email address will not be published.