ମହାରାଷ୍ଟ୍ର ସରକାରର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ତଥା ଜାତୀୟତାବାଦୀ କଂଗ୍ରେସ ଦଳର ମୁଖପାତ୍ର ନବାବ ମଲିକଙ୍କ ସମସ୍ୟା ବଢିପାରେ। ମନି ଲଣ୍ଡରିଂ ଏବଂ ଅଣ୍ଡରୱାର୍ଲ୍ଡ କନେକ୍ସନ ମାମଲାରେ ବୁଧବାର ସକାଳ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଟିମ୍ ନବାବ ମଲିକଙ୍କ ଘରେ ଚଢ଼ାଉ କରିଥିଲେ। ଏହା ପରେ ତାଙ୍କୁ ପଚରାଉଚରା ପାଇଁ ଇଡି ଅଫିସକୁ ଅଣାଯାଇଛି। ଆର୍ଯ୍ୟନ୍ ଖାନ ଡ୍ରଗ୍ ମାମଲା ପରେ ଚର୍ଚ୍ଚାକୁ ଆସିଥିବା ନବାବ ମଲିକଙ୍କ ବିରୋଧରେ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇଡି ଟିମ୍ ସକାଳ ୭ ଟାରେ ତାଙ୍କ ଘରେ ପହଞ୍ଚିଥିଲା ଏବଂ ସକାଳ ୮ ଟାରୁ ତାଙ୍କ ପଚରାଉଚରା ଜାରି ରହିଛି। ସୂତ୍ର ଅନୁଯାୟୀ ହାୱାଲା ମାମଲାରେ ଇଡି ସଂଗ୍ରହ କରିଥିବା ପ୍ରମାଣରେ ମଲିକଙ୍କ ନାମ ପ୍ରଥମେ ଆସିଛି।
୯ ନଭେମ୍ବର ୨୦୨୧ ରେ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଅଣ୍ଡରୱାର୍ଲ୍ଡ ସହିତ ନବାବ ମଲିକଙ୍କ ସମ୍ପର୍କକୁ ଥିବା ନେଇ ଖୁଲାସା କରିଥିଲେ। ସେ କହିଥିଲେ ଯେ ନବାବ ମଲିକ ଦାଉଦ ଇବ୍ରାହିମଙ୍କ ଗ୍ୟାଙ୍ଗରୁ ଜମି କିଣିଛନ୍ତି। ଏହି ଜମିଗୁଡିକ ମୁମ୍ବାଇରେ ବିସ୍ଫୋରଣରେ ସାମିଲ ଥିବା ଅଭିଯୁକ୍ତ ମାନଙ୍କର ବୋଲି ସେ କହିଥିଲେ | ସେ ଆହୁରି ମଧ୍ୟ କହିଛନ୍ତି ଯେ, ସର୍ଦ୍ଦାର ଶାହ ୱାଲି ଖାନ ଏବଂ ହସିନା ପାରକରଙ୍କ ଘନିଷ୍ଠ ସହଯୋଗୀ ସଲିମ ପଟେଲଙ୍କ ନବାବ ମଲିକଙ୍କ ସହ ବ୍ୟବସାୟିକ ସମ୍ପର୍କ ରହିଛି। ଦୁହେଁ ମୁମ୍ବାଇରେ ନବାବ ମଲିକଙ୍କ ଏକ ସମ୍ପର୍କୀୟଙ୍କ କମ୍ପାନୀକୁ ମୁମ୍ବାଇର LBS ରୋଡରେ ଅବସ୍ଥିତ କୋଟି କୋଟି ମୂଲ୍ୟର ଜମିକୁ ଶସ୍ତା ମୂଲ୍ୟରେ ବିକ୍ରି କରିଛନ୍ତି।
ଫଡନାଭିସଙ୍କ କହିବା ଅନୁଯାୟୀ ସର୍ଦ୍ଦାର ଶାହ ୱାଲି ଖାନ ଏବଂ ସଲିମ ପଟେଲ ଏହି ଜମି ବିକ୍ରି କରିଥିଲେ। ନବାବ ମଲିକ ମଧ୍ୟ ଏହି କମ୍ପାନୀ ସହିତ କିଛି ସମୟ ପାଇଁ ଜଡିତ ଥିଲେ | କୁର୍ଲାର LBS ରୋଡରେ ଥିବା ୩ ଏକର ଜମି ମାତ୍ର ୨୦-୩୦ ଲକ୍ଷରେ ବିକ୍ରି ହୋଇଥିବାବେଳେ ଏହାର ବଜାର ମୂଲ୍ୟ ୩.୫୦ କୋଟିରୁ ଅଧିକ ଥିଲା | କେନ୍ଦ୍ରୀୟ ଏଜେନ୍ସିକୁ ସମସ୍ତ ପ୍ରମାଣ ଦେବା ବିଷୟରେ ପୂର୍ବତନ ସିଏମ୍ ମଧ୍ୟ ଆଲୋଚନା କରିଥିଲେ। ସମାନ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ଇଡି ଦଳ ମଲିକଙ୍କୁ ପଚରାଉଚରା ପାଇଁ ଉଠାଇ ନେଇଥିବାର ଜଣାପଡିଛି। ତେବେ ଇଡି ପକ୍ଷରୁ ଏ ବିଷୟରେ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ।