ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷରୁ ଯୁକ୍ତ ୩ରେ ଆରମ୍ଭ ହେବ NCC ପାଠ୍ୟକ୍ରମ। ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାସ ଏନେଇ ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯୁକ୍ତ ୩ ପିଲା NCCକୁ ଏକ ଇଲେକ୍ଟିଭ ବିଷୟ ଭାବେ ନେଇ ପାରିବେ। NCC କିପରି ଭାବେ ପାଠ୍ୟକ୍ରମରେ ସାମିଲ ହେବ ସେନେଇ କମିଟି ଗଠିତ ହୋଇଛି।
ରାଜ୍ୟର ୧୮୩ କଲେଜରେ ଏହା ଆରମ୍ଭ ହେବ। ଅଧିକ NCC ANO ପାଇଁ NCC ନିର୍ଦ୍ଦେଶାଳୟକୁ ଅନୁରୋଧ କରାଯାଇଛି। ସ୍ଥାୟୀ କିମ୍ବା ଗେଷ୍ଟ ଫ୍ୟାକଲ୍ଟି ଏହି କାର୍ଯ୍ୟ ତୁଲାଇବେ। NCC ଡାଇରେକ୍ଟର ଏହି ନିଯୁକ୍ତି କାର୍ଯ୍ୟ କରିବେ। NCC କର୍ତ୍ତୃପକ୍ଷ ପରୀକ୍ଷା ପରିଚାଳନା, ଫଳାଫଳ ଓ ସାର୍ଟିଫିକେଟ ପ୍ରଦାନ କରିବେ। ଅନ୍ୟ ବିଷୟ ଭଳି ଏଥିରେ ମଧ୍ୟ ଫୁଲ୍ ମାର୍କ, ପାସ୍ ମାର୍କ ଓ ସିଲାବସ ରହିବ। ସବୁ କଲେଜରେ ୨ ଜଣ ଲେଖାଏଁ ANOଙ୍କୁ ତାଲିମ ଦେବା ନିମନ୍ତେ ମଧ୍ୟ ଚେଷ୍ଟା କରାଯିବ। ପିପିପି ମୋଡ୍ରେ ଏହା ଆରମ୍ଭ କରାଯାଉଛି। ଏହା ପିଲାମାନଙ୍କ ବ୍ୟକ୍ତିତ୍ୱ ଗଠନ ସହିତ ନିଯୁକ୍ତି କ୍ଷେତ୍ରକୁ ସୁଦୂର ପ୍ରସାର କରିବ ବୋଲି ଶ୍ରୀ ଦାସ କହିଛନ୍ତି।