ଓଡିଆ ନ୍ୟୁଜ୍(ବ୍ୟୁରୋ): ବର ସାଜିବେ ଯୁବ ବୈଜ୍ଞାନିକ। ଜୟଶ୍ରୀଙ୍କୁ କରିବେ ଜୀବନ ସାଥି। ସମ୍ବଲପୁର ନାକଟିଦେଉଳ ବ୍ଲକ ବାଲସିଂହା ଗାଁର ଯୁବ ବୈଜ୍ଞାନିକ ଶେଷ କିଶାନ ବୈଦିକ ରୀତିନୀତିରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ୨୨ତାରିଖରେ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଖଗଡାପାଳ ଗାଁର ଜୟଶ୍ରୀ ଜେନାଙ୍କୁ କରିବେ ଜୀବନ ସାଥି। ଶେଷଙ୍କ ସହ ଜୟଶ୍ରୀଙ୍କ ବିବାହ ନେଇ ଉତ୍ସାହିତ ଅଛନ୍ତି ପୁରା ଖଗଡାପାଳ ଗ୍ରାମବାସୀ। ପରିବାରରେ ଖୁସିର ଲହରୀ। ଶେଷଦେବଙ୍କ ସହ ବିବାହ ପ୍ରସ୍ତାବ ଆସିବା ପରେ ପରିବାର ବେଶ ଖୁସି ହୋଇଥିବା କହିଛନ୍ତି ଜୟଶ୍ରୀଙ୍କ ବାପା। ଜଣେ ବୈଜ୍ଞାନିକ ଭାବେ ଶେଷଦେବ ଯେଉଁ ପ୍ରସିଦ୍ଧି ପାଇଛନ୍ତି ତାଙ୍କୁ ନେଇ ସେମାନେ ଗର୍ବିତ ବୋଲି କହିଛନ୍ତି।…
ଶେଷ ଦେବ ଓ ଜୟଶ୍ରୀଙ୍କ ପରିଚୟ ପ୍ରଥମେ ଏକ ମାଟ୍ରିମୋନି ସାଇଟରୁ ହୋଇଥିଲା। ଦୁଇ ପରିବାର ବିବାହରେ ସମ୍ମତି ପ୍ରକାଶ କରିବା ପରେ ସେମାନଙ୍କ କୋର୍ଟ ବିବାହ ହୋଇଛି। ଏବେ ବୈଦିକ ରୀତିରେ, ଅଗ୍ନିକୁ ସାକ୍ଷୀ ରଖି ପରସ୍ପରକୁ ସାତ ଜନ୍ମ ପାଇଁ ସାଥି କରିବେ ଶେଷ ଓ ଜୟଶ୍ରୀ। ଭଲ ପାଠ ପଢିବା ସହ ନୃତ୍ୟ ଓ ସଂଗୀତ ପ୍ରତି ରହିଛି ଜୟଶ୍ରୀଙ୍କ ରୁଚି। ରେଢାଖୋଲ ସହର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ବିବାହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ବନ୍ଧୁବାନ୍ଧବଙ୍କ ଗହଣରେ ନିର୍ବନ୍ଧ କାମ ହୋଇଛି। ବିବାହ ପାଇଁ ସମସ୍ତ ଗ୍ରାମବାସୀ ରେଢାଖୋଲ ଯିବେ ବୋଲି କହିଛନ୍ତି ଜୟଶ୍ରୀଙ୍କ ଗ୍ରାମବାସୀ।
ଯୁବ ବୈଜ୍ଞାନିକ ଶେଷ କିଶାନଙ୍କ ଜୀବନ ସଂଘର୍ଷମୟ। ପିଲାଦିନରୁ ବାପାମା ଙ୍କୁ ହରାଇ ବହୁ ଝଡ଼ଝଞ୍ଜାର ସାମନା କରି ବଡ଼ ହୋଇଛନ୍ତି। ୨୦୧୮ରେ ଓଡ଼ିଶା ନଲେଜ ହବ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କ ସାକ୍ଷାତ ପରେ ଜୀବନ କିନ୍ତୁ ମୋଡ଼ ନେଇଥିଲା। ଏବେ ସେ ଜର୍ମାନୀର ଜର୍ଜ-ଅଗଷ୍ଟ ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ଆସୋସିଏଟ ଭାବେ କାର୍ଯ୍ୟରତ। ଛୁଟିରେ ଘରକୁ ଆସିଥିବା ବେଳେ ଏବେ ତାଙ୍କ ବିବାହ ହେବାକୁ ଯାଉଛି।…