ଓଡ଼ିଆ ନ୍ୟୁଜ୍(ବ୍ୟୁରୋ) ସାରାରାଜ୍ୟରୁ ହଟିଲା ନାଇଟ କର୍ଫ୍ୟୁ। କରୋନା ପ୍ରକୋପ କମୁଥିବାରୁ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ କୋହଳ କରାଯାଇଛି।ଆଜିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ନାଇଟ କର୍ଫ୍ୟୁ ହଟିବ। ଏନେଇ ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଫଳରେ ରାତିରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ନେଇ ଆଉ କୌଣସି କଟକଣା ରହିବ ନାହିଁ ।
ସୂଚନାଯୋଗ୍ୟ, ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ବ୍ୟାପିବା ଆଶଙ୍କା କରିଥିଲା ସ୍ବାସ୍ଥ୍ୟ ବିଭାଗ। ଏଥିପାଇଁ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଥିଲା । ଜାନୁଆରୀ ମାସରେ ରାତି ୯ଟାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଥିଲେ SRC। ଏହା ସକାଳ ୫ଟା ଯାଏ ବଳବତ୍ତର ରହିବ ବୋଲି ଘୋଷଣା କରଯାଇଥିଲା। ଫଳରେ ରାତି ୯ଟାରୁ ସକାଳ ୫ଟା ଯାଏ ଦୋକାନ ବଜାର ଓ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ସ୍ଥିତିରେ ସୁଧାର ଆସିବାରୁ ଫେବୃଆରୀରେ ନାଇଟ୍ କର୍ଫ୍ୟୁକୁ ସାମାନ୍ୟ କୋହଳ କରାଯାଇଥିଲା । ରାତି ୯ଟା ପରିବର୍ତ୍ତେ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଥିଲା।
ସେପଟେ ଆଜି ରାଜ୍ଯରେ ଆଉ ୮୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଯାଇଛି ୧୬ ଜୀବନ । ବହୁତ ଦିନ ପରେ କରୋନା ଆକ୍ରାନ୍ତ ମାମଲାରେ ଦ୍ଵିତୀୟ ସ୍ଥାନକୁ ଖସିଛି ଖୋର୍ଦ୍ଧା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୧୬୯ ଜଣ ଥିବାବେଳେ ସଙ୍ଗରୋଧରୁ ୫୧୬ ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୩୭୦ ଜଣ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରୁ ସର୍ବାଧିକ ୧୭୯ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୮୬, କୋରାପୁଟରୁ ୬୬, କଟକରୁ ୪୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଗଲା ୧୬ ଆକ୍ରାନ୍ତଙ୍କ ଜୀବନ।