ମନରେଗାରେ ମିଳୁନି କର୍ମନିଯୁକ୍ତି, କେନ୍ଦ୍ର ଉପରେ ବର୍ଷିଲେ ସରକାରୀ ଦଳ ମୁଖ୍ୟ ସଚେତକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ସରକାରଙ୍କର ଅବହେଳା ଯୋଗୁଁ ମନରେଗାରେ ମିଳୁନି କର୍ମନିଯୁକ୍ତି । ଯାହାକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ସେ କହିଛନ୍ତି ସାଧାରଣ ଗରିବ ଲୋକ ଏହି ଯୋଜନାରେ କର୍ମନିଯୁକ୍ତ ହୋଇ ଦୁଇ ପଇସା ରୋଜଗାର କରିଥାନ୍ତି  । କିନ୍ତୁ ଏହି ଯୋଜନାକୁ ନେଇ ମଧ୍ୟ କେନ୍ଦ୍ର ଅବହେଳା କରୁଛି  । ଯଦ୍ୱାରା ଶ୍ରମିକ ମଧ୍ୟ ଶ୍ରମ ପାଇପାରୁନାହିଁ   । ପ୍ରତ୍ୟେକ ଯୋଜନା ଭଳି ମନରେଗା  ଯୋଜନାରେ ମଧ୍ୟ  ଅର୍ଥ କାଟ କରିଛନ୍ତି କେନ୍ଦ୍ର ସରକାର  ।  ଯେତିକି ଶ୍ରମ ଦିବସ ଅଛି ତାହାକୁ କେନ୍ଦ୍ର କମାଉଛି  ।  ଏହା ବିରୋଧରେ ଓଡ଼ିଶା ପ୍ରତିବାଦ କରିଛି ଆଗକୁ ମଧ୍ୟ କରିବ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ  ।

ସୂଚନାଯୋଗ୍ୟ, ଓଡ଼ିଶା ସରକାର ମନରେଗାରେ ନିଯୁକ୍ତ ଶ୍ରମିକମାନଙ୍କୁ ଠିକ ସମୟରେ ଶତ ପ୍ରତିଶତ ମଜୁରୀ ପ୍ରଦାନ କରିବା ସହ ଲୋକଙ୍କ ହାତକୁ ଅଧିକ କାମ ସହ ନିୟଭିତ ଭାବେ ମଜୁରୀ ପ୍ରଦାନ କରିବାକୁ ରାଜ୍ୟ ସରକାର ଏକ ’ରିଭଲଭିଙ୍ଗ ଫଣ୍ଡ’ ଗଠନ କରିଛନ୍ତି  । ଏହି ଫଣ୍ଡ ସହ କେନ୍ଦ୍ର ସରକାର ମନରେଗା ସଫ୍ଟେଓ୍ବରକୁ ସଂଯୁକ୍ତ କଲେ ଧାର୍ଯ୍ୟ ସମୟରେ ମନରେଗା ବାବଦ କେନ୍ଦ୍ରୀୟ ଅଂଶ ମିଳିବାରେ ଅସୁବିଧା ହୁଅନ୍ତା ନାହିଁ । ଏହାଦ୍ବାରା ରିଭଲଭିଙ୍ଗ ଫଣ୍ଡକୁ ପାଣ୍ଠିର ଅଭାବ ରହନ୍ତା ନାହିଁ । ଏ ଦିଗରେ ରାଜ୍ୟର ପ୍ରସ୍ତାବକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବାକୁ କିଛିମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ।

ନବୀନ ଚିଠିରେ ଦର୍ଶାଇଥିଲେ, କରୋନା ମହାମାରୀ ସମୟରେ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଅଧିକ କାମଧନ୍ଦା ଯୋଗାଇବାକୁ କେନ୍ଦ୍ର ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଥିଲା । ରାଜ୍ୟଗୁଡ଼ିକ ଲୋକମାନଙ୍କୁ ଢେର ଅଧିକ କାମ ଯୋଗାଇବାରେ ସମର୍ଥ ହେଲେ । ମନରେଗା ଜବକାର୍ଡଧାରୀଙ୍କୁ ଠିକ୍ ସମୟରେ ମଜୁରୀ ପ୍ରଦାନ ପାଇଁ ରାଜ୍ୟ ସରକାର ଏକ ରିଭଲଭିଙ୍ଗ ଫଣ୍ଡ ଗଠନ କରି ୧ ହଜାର କୋଟିର ପାଣ୍ଠି ବରାଦ କରିଛନ୍ତି । ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଏଇଆ ଯେ, ଏ ପାଣ୍ଠିରୁ ଶ୍ରମିକଙ୍କ ମଜୁରୀ ବାବଦ ଟଙ୍କା ପୈଠ କରାଯିବ । କେନ୍ଦ୍ର ସରକାର ନିଜସ୍ବ ଭାଗ ପାଣ୍ଠ ଦେଲେ ଏହା ଭରଣା ହେବ । ମାତ୍ର କେନ୍ଦ୍ର ସରକାର ଏ ବାବଦରେ ପାଣ୍ଠି ବିଳମ୍ବରେ ଦେଉଛନ୍ତି । ତେଣୁ ଏ ଦିଗରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ।

Leave A Reply

Your email address will not be published.