ଓଡ଼ିଆରେ ନାମ ଫଳକ ନଲେଖିବାରୁ ୧୦୯ ବ୍ୟବସାୟକୁ ନୋଟିସ୍‌

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ ଅନୁସାରେ ଓଡ଼ିଆରେ ନାମଫଳକ ନଲେଖିଲେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡ଼ିଛି ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ। ବିଭାଗ ପକ୍ଷରୁ ରାଜଧାନୀ ସମେତ ସାରା ରାଜ୍ୟରେ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଭୁବନେଶ୍ବରରେ ୧୦୯ଜଣ ବ୍ୟବସାୟୀଙ୍କୁ ନୋଟିସ୍‌ ହୋଇଛି। ତୁରନ୍ତ ଓଡ଼ିଆରେ ନାମଫଳକ ନଲେଖିଲେ ମୋଟା ଅଙ୍କର ଜରିମାନା ଏବଂ ଆବଶ୍ୟକ ପଡ଼ିଲେ ମାମଲା ରୁଜୁ କରିବ ଶ୍ରମ ବିଭାଗ। ଅନେକ ସଚେତନ ନାଗରିକ, ଭାଷାବିତ୍‌ଙ୍କ ଦାବି ପରେ ରାଜ୍ୟର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ। ଖିଲାପକାରୀଙ୍କ ପାଇଁ ଜରିମାନା ବ୍ୟବସ୍ଥା ବି କରାଯାଇଥିଲା। ପ୍ରଥମଥର ଉଲ୍ଲଂଘନ କରିଥିବା ଅନୁଷ୍ଠାନ ପାଇଁ ୧ ହଜାରରୁ ୫ ହଜାର ଟଙ୍କା ଏବଂ ଦ୍ବିତୀୟ ଥର ଉଲ୍ଲଂଘନ କରିଥିବା ଅନୁଷ୍ଠାନ ପାଇଁ ୨ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଥିଲା। ଏହାପରେ ଅଧିକାରୀଙ୍କ ମଧ୍ୟରେ ବୈଠକ ପରେ ବସିଲା, ନିୟମ ପାଳନ ନିମେନ୍ତ ଚିଠି ଦିଆନିଆ ବି ଚାଲିଲା। ହେଲେ ନିୟମ ପାଳନକୁ ଗୁରୁତ୍ବ ଦିଆଗଲା ନାହିଁ। ବେସରକାରୀ କଥା ଛାଡ଼, ଅଧିକାଂଶ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ନାମ ଫଳକ ଦେଖିବାକୁ ମିଳିଲା ନାହିଁ। ସରକାରଙ୍କ ଓଡ଼ିଆ ଭାଷାପ୍ରୀତିକୁ ନେଇ ପ୍ରଶ୍ନ ଉଠିବା ସହ ସରକାର ପ୍ରତ୍ୟକ୍ଷ ଓ ପରୋକ୍ଷରେ ଲଗାତାର ସମାଲୋଚନାର ଶିକାର ହେବା ପରେ ଏବେ ତତ୍ପରତା ପ୍ରକାଶ ପାଇଛି। ରାଜଧାନୀରେ ନିୟମ ପ୍ରଣୟନ ହୋଇଥିଲେ ହେଁ ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ଏଠାରେ ସର୍ବାଧିକ ନିୟମ ଖିଲାପକାରୀଙ୍କୁ ଦେଖିବାକୁ ମିଳୁଛି। ବିଶେଷ କରି ବିଭିନ୍ନ ବ୍ରାଣ୍ଡର ସୋରୁମ୍‌, ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ, କର୍ପୋରେଟ୍‌ ଅଫିସ୍‌ଗୁଡ଼ିକରେ ଓଡ଼ିଆ ନାମ ଫଳକ ଲଗାଯାଇନାହିଁ। ବିଭାଗ ପକ୍ଷରୁ ତାଗିଦ୍‌ କରାଯାଇଥିବା କିଛି ବ୍ୟବସାୟ ପ୍ରତିଷ୍ଠାନରେ ଇଂରାଜୀ ଅକ୍ଷର ଅପେକ୍ଷା ଓଡ଼ିଆ ଅକ୍ଷରକୁ ଅତି ଛୋଟ ଆକାରରେ ଲେଖାଯାଉଛି। ଯାହାକୁ ନେଇ ସଚେତନ ନାଗରିକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

ଅନ୍ୟପଟେ ଏ ପ୍ରସଙ୍ଗକୁ ଏବେ ଗୁରୁତର ଭାବେ ନେଇଛି ଶ୍ରମ ବିଭାଗ। ଓଡ଼ିଶା ଶ୍ରମ ଆୟୁକ୍ତ ଏନ୍‌ ତିରୁମାଲା ନାୟକଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଣବ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରମ ବିଭାଗ ପକ୍ଷରୁ ଓଡ଼ିଆରେ ନାମଫଳକ ଲେଖିବା ନେଇ ଖୋର୍ଦ୍ଧା ପୌର ପରିଷଦ ଓ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଚଢ଼ଉ କରାଯାଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ରାଜଧାନୀର ପଟିଆ, ମାଷ୍ଟର କ୍ୟାଣ୍ଟିନ୍‌, ୟୁନିଟ-୨, ସହିଦ ନଗରରେ ଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ରେସ୍ତୋଁରା, ଘଣ୍ଟା ଦୋକାନ, ଷ୍ଟେସନାରି ଆଦି ୧୦୯ଟି ଦୋକାନକୁ ଯାଞ୍ଚ୍‌ କରାଯାଇଛି। ଭୁବନେଶ୍ୱର ସହକାରୀ ଶ୍ରମ ଅଧିକାରୀ ସୌମ୍ୟା ରଞ୍ଜିତା ଦଳାଇ, ରଶ୍ମିତା ପାତ୍ର, ପିପାସା ମହାପାତ୍ର, କାଳିପୁତ୍ର କୂଳଦୀପ ପ୍ରସାଦ, ପ୍ରଭାକର ବିଶ୍ୱାଳ ଓ ଖୋର୍ଦ୍ଧା ସହକାରୀ ଶ୍ରମ ଅଧିକାରୀ ମୋନାଲିସା ଜେନା, ସହକାରୀ ଶ୍ରମ ଅଧିକାରୀ ପ୍ରଜ୍ଞା ପାରମିତା ସାହୁ ଓ ଅନ୍ୟ କର୍ମଚାରୀ ପ୍ରମୁଖ ୧୦୯ ବ୍ୟବସାୟ ପ୍ରତିଷ୍ଠାନକୁ ୭ ଦିନିଆ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଏଥିମଧ୍ୟରୁ ୪୩ଟି ବାଣିଜ୍ୟ ପ୍ରତିଷ୍ଠାନ ତୁରନ୍ତ ତାଙ୍କର ନାମଫଳକ ଓଡ଼ିଆରେ ଲେଖି ଶ୍ରମ ବିଭାଗ ନିକଟରେ ଦାଖଲ କରିଛନ୍ତି। ଏନେଇ ଜିଲ୍ଲା ପ୍ରଭାଗୀୟ ଶ୍ରମ ଅଧିକାରୀ ଶ୍ରୀ ପାତ୍ର କହିଛନ୍ତି ଏଣିକି ନିୟମିତ ଭାବେ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ଉପରେ ନଜର ରଖାଯିବ।

Leave A Reply

Your email address will not be published.