ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏଣିକି ଓଡ଼ିଆ ଭାଷାରେ ସିଏପିଏଫ୍ କନଷ୍ଟେବଳ ପରୀକ୍ଷା ଦେଇପାରିବେ ଓଡ଼ିଆ ଚାକୁରି ଆଶାୟୀ । ସିଏପିଏଫ୍ ପାଇଁ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ କନେଷ୍ଟବଳ (ଜେନେରାଲ ଡ୍ୟୁଟି) ପରୀକ୍ଷା ଆୟୋଜନକୁ ଗୃହ ମନ୍ତ୍ରଣାଳୟ ମଞ୍ଜୁରି କରିଛି। କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ସିଏପିଏଫରେ ସ୍ଥାନୀୟ ଯୁବକମାନଙ୍କର ଭାଗିଦାରୀ ବଢ଼ାଇବା ଏବଂ ଆଞ୍ଚଳିକ ଭାଷାଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଅହମୀୟା, ବଙ୍ଗଳା, ଗୁଜରାଟୀ, ମରାଠୀ, ମାଲାୟଲମ, କନ୍ନଡ଼, ତାମିଲ, ତେଲୁଗୁ, ଓଡ଼ିଆ, ଊର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଏବଂ କୋଙ୍କଣୀ ଭାଷାରେ ପ୍ରସ୍ତୁତ ହେବ ପ୍ରଶ୍ନପତ୍ର। ଏହି ନିର୍ଣ୍ଣୟ ଫଳରେ ଲକ୍ଷାଧିକ ପ୍ରାର୍ଥୀ ନିଜ ମାତୃଭାଷା/କ୍ଷେତ୍ରୀୟ ଭାଷାରେ ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ, ଯାହାଫଳରେ ସେମାନଙ୍କ ଚୟନର ସମ୍ଭାବନା ବଢ଼ିବ। କନେଷ୍ଟବଳ (ଜେନେରାଲ ଡ୍ୟୁଟି), କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ଆୟୋଜିତ ପ୍ରମୁଖ ପରୀକ୍ଷା ମଧ୍ୟରୁ ଗୋଟିଏ, ଯେଉଁଥିରେ ସାରା ଦେଶରୁ ଲକ୍ଷାଧିକ ପ୍ରାର୍ଥୀ ଅଂଶଗ୍ରହଣ କରିଥାନ୍ତି। ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଆୟୋଜନ ୨୦୨୪ ଜାନୁଆରି ଠାରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ଶ୍ରୀ ଶାହାଙ୍କ ମାର୍ଗଦର୍ଶନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆଞ୍ଚଳିକ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଅଙ୍ଗୀକାରବଦ୍ଧ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଓଡ଼ିଆରେ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ) ପରୀକ୍ଷା ନେଇ ସରକାରଙ୍କ ତରଉରୁ ବିଦ୍ଧିବଦ୍ଧ ଘୋଷଣା କରାଯାଇଥିଲା। ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ଦ୍ବାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ତଥା ଓସିଏସ ପରୀକ୍ଷା ଓଡ଼ିଆରେ ଦେବା ନେଇ ଘୋଷଣା ହୋଇଥିଲା। ପରୀକ୍ଷାର୍ଥୀଙ୍କୁ ଇଚ୍ଛାଧିନ ବିଷୟ ଗୋଟିଏ ହିଁ ପରୀକ୍ଷା ଦେବାକୁ ପଡ଼ିବ। ୮ଟି ପ୍ରସ୍ତାବରେ ମୋହର ମାରିଥିଲା ରାଜ୍ୟ କ୍ୟାବିନେଟ୍ଡ଼। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଂଶୋଧନକୁ ମଞ୍ଜୁରୀ ମିଳିବା ପରେ ୨୨୫୦ ନମ୍ବର ପରୀକ୍ଷା ନୁହେଁ ୨୦୦୦ ନମ୍ବର ପରୀକ୍ଷା ହେବ ବୋଲି ନିଷ୍ପତ୍ତି ହୋଇଥିଲା । ଏହା ସହ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓପିଏସସିକୁ ମଧ୍ୟ ମାର୍ଗଦର୍ଶିକା ଜାରି କରିଥିଲା । ମାର୍ଗଦର୍ଶିକା ଅନୁସାରେ, ମେନ୍ ପରୀକ୍ଷା ଡାଞ୍ଚାରେ ବି ପରିବର୍ତ୍ତନ ହୋଇଥିଲା । ଇଂରାଜୀରେ ରଚନା ୨ଶହ ମାର୍କର ହେବାକୁ ଥିବା ବେଳେ ୪ଟି ପେପରରେ ସାଧାରଣ ଜ୍ଞାନ ବିଭାଗର ପରୀକ୍ଷା ହେବ ବୋଲି ନିଷ୍ପତ୍ତି ହୋଇଥିଲା । ୩ଶହ ଲେଖାଏ ୪ଟି ସାଧାରଣ ଜ୍ଞାନ ବିଷୟକୁ ମୋଟ୍ ୬ଶହ ମାର୍କର ପରୀକ୍ଷା ହେଉଛି । ମେନ୍ ପରୀକ୍ଷା ସମୁଦାୟ ୨ହଜାର ସହ ସାକ୍ଷାତକାର ୨୫୦ ମାର୍କ ସମ୍ବଳିତ ହେଉଛି । ସେହିପରି ମେନ୍ର ବିଭିନ୍ନ ବିଷୟର ପ୍ରଶ୍ନ ପାଇଁ ଓଡ଼ିଆରେ ଉତ୍ତର ଲେଖା ଯାଉଛି । ଯାହାକି ପୂର୍ବରୁ ଓଡ଼ିଆ ଭାଷାକୁ ବାଦ୍ ଦେଲେ ଅନ୍ୟ ବିଷୟରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ନଥିଲା । ପୂର୍ବରୁ ଓଡ଼ିଆରେ ଓଏଏସ୍ ପରୀକ୍ଷା ଆୟୋଜନ ପାଇଁ ଦାବି ହୋଇଆସୁଥିଲା।
କେନ୍ଦୀୟ ଲୋକ ସେବା ଆୟୋଗ(ୟୁପିଏସସି) ଦ୍ବାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ପରୀକ୍ଷା ଭଳି ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ଦ୍ବାରା ପରିଚାଳିତ ଓସିଏସ ପରୀକ୍ଷାରେ କେବଳ ଗୋଟିଏ ଇଚ୍ଛାଧିନ ବିଷୟ ରହିଛି। ପରୀକ୍ଷାର୍ଥୀ ଓଡ଼ିଆରେ ପରୀକ୍ଷା ଦେଉଛନ୍ତି । ପ୍ରବନ୍ଧ ମଧ୍ୟ ଓଡ଼ିଆରେ ଲେଖୁଛନ୍ତି ଇଛୁକ ପରୀକ୍ଷାର୍ଥୀ। ଅଣ ସଂରକ୍ଷିତ-୬ଥର, ଏସଇବିସି- ୯ଥର, ଏସସି/ଏସଟି-ଅନଲିମିଟେଡ ପରୀକ୍ଷା ଦେଇପାରିବେ – ଲିକ୍ଷିତ ଓ ଇଣ୍ଟରଭ୍ୟୁ ମଧ୍ୟ ଓଡ଼ିଆ ଭାଷାରେ ହେବ ବୋଲି ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି। ପୂର୍ବରୁ ଇଂରାଜୀ ଭାଷାରେ ପ୍ରବନ୍ଧ ଲେଖିବା ବାଧ୍ୟତାମୂଳକ ରହିଥିଲା। ଛାତ୍ରଛାତ୍ରୀ ତାହା ଓଡିଆରେ ପରୀକ୍ଷା ଦେଇପାରିବେ ବୋଲି ରାଜ୍ୟ ସରକାର ଐତିହାସିକ ନିଷ୍ପତ୍ତି ନେଇଥିଲେ।