ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏଣିକି ଭୁବନେଶ୍ବରରୁ ସିଙ୍ଗାପୁରକୁ ଉଡ଼ିବ ବିମାନ । ଆସନ୍ତା ମେ’ ଶେଷ ସପ୍ତାହରେ ଭୁବନେଶ୍ବରକୁ ସିଙ୍ଗାପୁରକୁ ବିମାନ ଉଡ଼ାଣ କରିବ। ଏହାଦ୍ବାରା ଓଡ଼ିଶା ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ। ଜାପାନ ଗସ୍ତରେ ଯିବା ଅବସରରେ ମୁଖ୍ୟମନ୍ତ୍ରୀ କିଛି ସମୟ ପାଇଁ ସିଙ୍ଗାପୁର ବିମାନବନ୍ଦରରେ ଅଟକିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ପାଣ୍ଡିଆନ ଏହି ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଭୁବନେଶ୍ବର-ସିଙ୍ଗାପୁର ବିମାନ ଉଡ଼ାଣ ନେଇ ସୂଚନା ଦେଇଛନ୍ତି। ଏହାସହ ଲେଖିଛନ୍ତି ଯେ ଦକ୍ଷତା ବିକାଶ ପାଇଁ ଆମେ ପୂର୍ବରୁ ଆଇଟିଇଏସ୍ ସିଙ୍ଗାପୁର ସହ ସହବନ୍ଧିତ। ଆମର ଛାତ୍ରଛାତ୍ରୀମାନେ ଏଠାରେ ପ୍ରଶିକ୍ଷଣ ନେଇଛନ୍ତି।
ସୂଚନାଯୋଗ୍ୟ, ଆଜି ସକାଳେ ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ପୁଞ୍ଜିନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହିତ ଟୋକିଓରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ଦୂତାବାସର ରାଷ୍ଟ୍ରଦୂତ ଶିବି ଜର୍ଜଙ୍କ ସମେତ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଛନ୍ତି। ସେଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କର ଏହି ଗସ୍ତ ଓଡ଼ିଶା ଓ ଜାପାନ ମଧ୍ୟରେ ପାରସ୍ପରିକ ସଂପର୍କ ବୃଦ୍ଧି କରିବ ବୋଲି ବିଶ୍ବାସ ରହିଛି। ଏହି ପ୍ରତିନିଧି ଦଳରେ ଶିଳ୍ପ, ଏମ୍ଏସ୍ଏମ୍ଇ, ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର, ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦର ପୁନିଆ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନୀଲ କ୍ରିଷ୍ଣା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସାମିଲ ହୋଇଛନ୍ତି। ଏହାବାଦ୍ ଇସ୍ପାତ, ଆଲୁମିନିୟମ, ବୟନଶିଳ୍ପ, ଖାଦ୍ୟ ଏବଂ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ସବୁଜ ହାଇଡ୍ରୋଜେନ ଓ ସବୁଜ ଆମୋନିଆ କ୍ଷେତ୍ରର ଉଦ୍ୟୋଗୀମାନେ ଜାପାନ ଗସ୍ତରେ ଯାଇଛନ୍ତି। ସେମାନେ ଜାପାନର ଶିଳ୍ପସଂସ୍ଥା ସହ ଓଡ଼ିଶାରେ ବ୍ୟବସାୟ ପାଇଁ ଥିବା ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିବେ।
ଆଜି ମୁଖ୍ୟମନ୍ତ୍ରୀ ନିପନ୍ ଷ୍ଟିଲ୍ କର୍ପୋରେସନର ପ୍ରତିନିଧି ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଇଜି ହାସିମୋଟୋଙ୍କୁ ଭେଟି ଏନଏସସି ଏବଂ ଓଡ଼ିଶା ସରକାରଙ୍କ ସହଯୋଗ ଉପରେ ଆଲୋଚନା କରିବେ। ବୁଧବାର ଦିନ ଓଡ଼ିଶା ବିଜିନେସ୍ ମିଟ୍ ୨୦୨୩ରେ ଯୋଗ ଦେଇ ଓଡ଼ିଶାରେ ବ୍ୟବସାୟ ସୁଯୋଗ ଏବଂ ବିନିଯୋଗ ଇକୋସିଷ୍ଟମ୍ ନେଇ ଜାପାନୀ କମ୍ପାନିଗୁଡ଼ିକ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ଜାପାନର ଓଡ଼ିଆ ସମାଜ ସହିତ ଆଲୋଚନା ପରେ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାତ୍ରୀ ଭୋଜନ କରିବେ। ଏଣେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମିଟୁ ୱାର୍କସ ଓ ନିପନ ଇସ୍ପାତ କାରଖାନା ପରିଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୨ ମସିହାରେ ଲଣ୍ଡନ ଗସ୍ତରେ ଯାଇଥିବାବେଳେ ୨୦୨୨ରେ ଇଟାଲି ଓ ଦୁବାଇ ଗସ୍ତରେ ଯାଇଥିଲେ। ଇଟାଲି ଓ ଦୁବାଇ ଗସ୍ତର ପ୍ରଥମ ଦିନରେ ନବୀନ ଇଟାଲୀର ରୋମ ସହରରେ ପହଞ୍ଚିବା ପରେ ନବୀନ ଇଟାଲୀରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ନୀନା ମାଲହୋତ୍ରାଙ୍କୁ ଭେଟିଥିଲେ ।