ଓଡିଆ ନ୍ୟୁଜ୍(ବ୍ୟୁରୋ): ବିଧାନ ପରିଷଦ ଗଠନ ନେଇ ବିଧାନସଭା ପକ୍ଷରୁ ଲେଖା ଯାଇଥିବା ଚିଠିର ଉତ୍ତର ଦେଇଛନ୍ତି କେନ୍ଦ୍ର ସରକାର। ଚିଠି ବିଧାନସଭାରେ ପହଂଚିବା ପରେ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦିଆଯାଇଛି। ବିଧାନପରିଷଦ ଗଠନ ନେଇ କଣ ପ୍ରକ୍ରିୟା ରହିବ ସେ ନେଇ ଚିଠିରେ ଉଲ୍ଲେଖ ରହିଛି। ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ବିଧାନସଭା ପରିଷଦ ଗଠନ ନେଇ କିଛି ପ୍ରସ୍ତାବ ଆସିନଥିବା ସଂସଦରେ ଉତ୍ତର ରଖିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ । କେଉଁ ପରିସ୍ଥିତିରେ ଭୁଲ ଉତ୍ତର ରଖାଗଲା ସେ ନେଇ ବିଧାନସଭା ପକ୍ଷରୁ ୨ ଟି ଚିଠି ଲେଖାଯାଇଥିଲା। ଏହାର ଉତ୍ତର କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି। ମାର୍ଚ୍ଚ ୩୧ ପୂର୍ବରୁ ବସିବ ବିଧାନସଭା ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅନୁମୋଦନ ଆସିବା ପରେ ବିଧିବଦ୍ଧ ତାରିଖ ଘୋଷଣା ହେବ।
ବିଧାନ ପରିଷଦରେ ବିଧାନସଭା ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶ ଅର୍ଥାତ ୪୯ ଜଣ ସଦସ୍ୟ ରହିବେ । ସଦସ୍ୟଙ୍କ କାର୍ଯ୍ୟକାଳ ୬ ବର୍ଷ ରହିବ । ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ସିଟ ଖାଲି ହେବ । ଜିଲ୍ଲା ପରିଷଦ ଓ ବିଧାୟକମାନଙ୍କ ଦ୍ବାରା ପରିଷଦ ସଦସ୍ୟ ନିର୍ବାଚିତ ହେବେ । ଏକ ତୃତୀୟାଂଶ ସଦସ୍ୟ ମୁନିସିପାଲିଟି ଓ ପଂଚାୟତ ସମିତିରୁ ଜିଲ୍ଲାପରିଷଦ ଓ ବିଧାୟକଙ୍କ ଦ୍ବାରା ନିର୍ବାଚିତ ହେବେ । ଏକ ଷଷ୍ଠାଂଶ ସଦସ୍ୟ କଳା, ବିଜ୍ଞାନ,ସାହିତ୍ୟ, ସମାଜସେବା ଓ ସମବାୟ ଆନ୍ଦୋଳନରୁ ନିର୍ବାଚିତ ହେବେ। ଅବଶିଷ୍ଟ ୧୨ ଭାଗରୁ ୧ଭାଗ ସଦସ୍ୟ ମାଧ୍ୟମିକ ସ୍କୁଲ ଓ ବିଶ୍ବ ବିଦ୍ୟାଳୟର ଅଧ୍ୟାପନା କ୍ଷେତ୍ରରୁ ନିର୍ବାଚିତ ହେବେ । ଏସବୁ ତଥ୍ୟ ରାଜ୍ୟ କେନ୍ଦ୍ରକୁ ଜଣାଇଛି ।
ସେହିପରି ଆରମ୍ଭ ହୋଇଛି ବିଧାନସଭା ସମାଚାର ୟୁ ଟ୍ୟୁବ ଚ୍ୟାନେଲ। ଗତକାଲି ଆରମ୍ଭ ହୋଇଛି। ଏହା ସହ ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ଆରମ୍ଭ ହେବ। ବିଧାନସଭା ସଂକ୍ରାନ୍ତିୟ ସମସ୍ତ ଖବର ଏହି ଯୟୁଟ୍ୟୁବରେ ପ୍ରସାରଣ ହେବ। ପରବର୍ତ୍ତୀ ମୁହୂର୍ତ୍ତରେ ବିଧାନସଭା ଟିଭି ଆରମ୍ଭ ହେବ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।