ଓଡିଶା ବିକାଶ ଅଭିଯାନ” ତରଫରୁ ବ୍ୟକ୍ତିଗତ ସମ୍ପତ୍ତି ଅଧିକାର ଉପରେ ସରକାରଙ୍କ ହସ୍ତକ୍ଷେପ’ ଶୀର୍ଷକ ଆଲୋଚନାଚକ୍ର

0

ଲୋକଙ୍କ ଜମି କିନ୍ତୁ ସରକାରଙ୍କ ହସ୍ତକ୍ଷେପ। ଏହାର କେତେଦୂର ପ୍ରାସଙ୍ଗିକତା ରହିଛି? “ଓଡିଶା ବିକାଶ ଅଭିଯାନ” ତରଫରୁ ଏହି ଆଲୋଚନାଚକ୍ରରେ ସମ୍ମାନନୀୟ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ (ଓଡିଶା ସରକାର), କଟକ ବାରବାଟୀର ମାନ୍ୟବର ବିଧାୟିକା ସୋଫିଆ ଫିର୍ଦୋଷ, ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ବାବୁ ସିଂ, ବିଚାରପତି ଦେବବ୍ରତ ଦାସ, ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଓକିଲ ମାନସ ରଞ୍ଜନ ମହାପାତ୍ର, ପ୍ରମୁଖ ଯୋଗଦେଇ ବ୍ୟକ୍ତିଗତ ସମ୍ପତ୍ତି ଉପରେ ସରକାରଙ୍କ ହସ୍ତକ୍ଷେପ ଶୀର୍ଷକରେ ଆଲୋଚନା କରିଥିଲେ । ଓଡିଶା ବିକାଶ ଅଭିଯାନର ସମ୍ପାଦକ ଶ୍ରୀଯୁକ୍ତ ପିକେ ମାର୍ଥା ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିଲେ l ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ଆଡ଼ଭୋକେଟ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଆଜିର ଆଲୋଚନାଚକ୍ର ସମ୍ବନ୍ଧରେ ଆଲୋକପାତ କରାଇଥିଲେ ।
ଶ୍ରୀମତୀ ବନଜା ବାସିନୀ ସଭାରେ ଉପସ୍ଥାପନା କରିଥିଲେ ।

ଜଣେ ଚାହିଁଲେ ବି ନିଜର ଜରୁରୀକାଳୀନ ଆବଶ୍ୟକତାକୁ ମେଣ୍ଟାଇବାକୁ କାହିଁକି ନିଜ ଜମିର ଖଣ୍ଡେ ଅଂଶ ବିକିପାରୁନି। କାହିଁକି ସରକାରୀ କଳ ତାକୁ ସରଳ ବାଟ ବତାଉନି। ନାନା ଆଇନର ପେଞ୍ଚରେ ପୁରାଯାଉଛି ସାଧାରଣ ଲୋକଟିକୁ। କେତେବେଳେ ରେରା, କେତେବେଳେ ଉନ୍ନୟନ କର୍ତ୍ତୃପକ୍ଷ ତ ପୁଣି କେତେବେଳେ ଯୋଜନାବଦ୍ଧ ସହରର ପରିକଳ୍ପନାକୁ ସାକାର କରିବାକୁ ନାନା ରକମର ନିୟମରେ ଛନ୍ଦି ଦିଆଯାଉଛି। ରାଜସ୍ବ, ନଗର ଉନ୍ନୟନ ଓ ଆଇନ ବିଭାଗ ବାବଦରେ କମ୍ ଧାରଣା ଥିବା ଲୋକଟିଏ ଯିବ କୁଆଡ଼େ? କିଏ ତାର ପଥ ପ୍ରଦର୍ଶକ ହେବ? କେଉଁ ବାଟରେ ଗଲେ ନିୟମ ମୁତାବକ ନିଜର ଜମି କିଣିବିକା କରିପାରିବ। ଗଳାବାଟ ନ ଦେଖାଇ ସିଧା ଓ ସରଳ ବାଟରେ ଯିବାକୁ ପରାମର୍ଶ ଦେବ। ନାନା ନିୟମକୁ ଥୋପି ଦିଆଯାଉଥିବା ବେଳେ ଗ୍ରାଉଣ୍ଡରେ ଏହି ନିୟମ ଅନୁପାଳନ ବେଳେ ସାଧାରଣ ଲୋକଟିଏ ହଇରାଣ ହରକତ ହେଉନି ତ! ଏହାର ତଦାରଖ କରୁଛି କିଏ? ଅଫିସର ଚିଠି ଖଣ୍ଡେ ଖଣ୍ଡେ ସର୍କୁଲେଟ୍ କରି ଆରାମରେ ବସୁଛନ୍ତି।

କିନ୍ତୁ ହଇରାଣ ହେଉଛନ୍ତି ସାଧାରଣ ଲୋକେ। ଆଇଜିଆର, ସବ–ରେଜିଷ୍ଟ୍ରାରଙ୍କ ଭୂମିକା ଯାହା ସେମାନେ ତୁଲାଉଛନ୍ତି କି? ଦୀର୍ଘ ଦିନ ହେଲା ଆପାର୍ଟମେଣ୍ଟ କିଣାବିକା ବନ୍ଦ ରହିଛି। କୋର୍ଟ କଚେରୀରେ ଛନ୍ଦି ହୋଇଯାଇଛି ବି ଏହି ମାମଲା। କିଛି ଲୋକଙ୍କ ତ୍ରୁଟି ଲାଗି ପ୍ରମୋଟର ଓ ବିଲଡର ସମାଜ ଆଜି ସମାଜ ଆଗରେ ଅବିଶ୍ଵାସର ପାତ୍ର ପାଲଟିଛି। କିଣାବିକାରେ ସ୍ୱଚ୍ଛତା ପରୋକ୍ଷରେ ଅନେକ ବାଟ ରହିଛି। କିନ୍ତୁ ସେ ବାଟକୁ ନେଇ ସରକାର ଯେତେ ସଚେତନ କଲେ ବି ନା ଲୋକେ ଚେତୁଛନ୍ତି ନା ଜାଲି ବିଲଡର ଠକିବାକୁ ଡରୁଛନ୍ତି।

ସାଧାରଣ ଲୋକେ ପ୍ଲଟ, ଆପାର୍ଟମେଣ୍ଟ କିଣିବାକୁ ଗଲାବେଳେ ଅଧାରୁ ଛନ୍ଦି ହେଉଛନ୍ତି କାହିଁକି? ଆଇନଗତ ଅଡୁଆ ଦୂର କରିବା କାହାର ଦାୟିତ୍ଵ? ରାଜସ୍ବ ନିୟମକୁ ସରଳୀକରଣ କରିବା କାହାର ଉତ୍ତରଦାୟିତ୍ଵ। ରାଜସ୍ବ, ନଗର ଉନ୍ନୟନ ଓ ଆଇନ ବିଭାଗର ବିନା ସମନ୍ଵୟରେ କେମିତି ବାହାରିବ ସମାଧାନ। ଯେଉଁ ଅଧିକାରୀ ବି ବାଟ ବତାଉଛନ୍ତି, ତାକୁ ଗ୍ରହଣ କରିବା ସକରାତ୍ମକ ସାଜିବ ନା ବୁମେରାଂ ଆଗରୁ ବିଭାଗୀୟ ମନ୍ତ୍ରୀ ଏହାର ଗ୍ରାଉଣ୍ଡରେ ପ୍ରତିଫଳନ ହେବ, ତାକୁ ତର୍ଜମା କରୁଛନ୍ତି ତ! ଏ ସବୁ ମହତ୍ ଉଦ୍ଦେଶ୍ୟ ରଖି ଓଡ଼ିଶା ବିକାଶ ଅଭିଯାନ ଏମିତି ଏକ ବିଷୟବସ୍ତୁ ବିଷୟରେ ତର୍ଜମା କରି ନିର୍ଯ୍ୟାସ ବାହାରିବା ଦରକାର ବୋଲି ଅନୁଭବ କରି ଏମିତି ଏକ ମଞ୍ଚ ଓ ଏମିତି ଅନୁଭବୀ ଅତିଥିଙ୍କ ସମାଗମର ଅବସର ଖୋଜୁଥିଲା। ଯିଏ କ୍ରମାଗତ ବିଧାନସଭା ଭିତରେ ଓ ବାହାରେ, ଲୋକଙ୍କ ଗହଣରେ ଜଟିଳ ସମସ୍ୟାର ସରଳ ସମାଧାନ ନେଇ ସ୍ବର ଉଠାଇ ଆସୁଛନ୍ତି। ଆଉ ଆଲୋଚନାରୁ ହିଁ କେଉଁଟା କଲେ ଠିକ୍, କେଉଁଟା କଲେ ଜନହିତ ସାଜିବ । ତାହାର ନିଷ୍କର୍ସ ସମାଜର ପ୍ରଭୂତ ମଙ୍ଗଳ ସାଜିବ ବୋଲି ହୃଦବୋଧ କରୁଛି ଓଡ଼ିଶା ବିକାଶ ଅଭିଯାନ। ଥିଲାବାଲାର ଜମି ବିକ୍ରି ହୋଇପାରିବ। ନଥୁଲାବାଲା କାନମୁଣ୍ଡା ଆଉଁସି ବସିଥ‌ିବ। ଏମିତି ପାତରଅନ୍ତର କାହିଁକି? ରାଜକୋଷକୁ ଟଙ୍କା ଯାଉଛି ନା କିଛି ଦଲାଲ ଅଧିକାରୀଙ୍କ ପକେଟ ଗରମ ହେଉଛି। ନା ଲୋକଙ୍କ ହିତ ହେଉଛି ନା ସରକାରଙ୍କ ପକେଟକୁ ରାଜସ୍ବ ଆସୁଛି। ତେବେ ସରକାରୀ ହସ୍ତକ୍ଷେପ ଜନହିତରେ ନା ଜନବିରୋଧୀ। ଭାବିବାର ସମୟ ଇଏ ନୁହେଁ । କାମ କରିବାର ବେଳ ଆସିସାରିଛି। ତ୍ବରିତ କ୍ରିୟାନ୍ଵୟନ ଲାଗି ସମସ୍ତଙ୍କ ଉତ୍ତରଦାୟିତ୍ଵ ରହୁଛି। ସରଳ ସମାଧାନରେ ଲୋକଙ୍କ ସମସ୍ୟା ଦୂର କରିବା ସରକାରଙ୍କ ନିଷ୍ପତ୍ତିକୁ ଗ୍ରାଉଣ୍ଡରେ ଅନୁପାଳନ କରିବା ଅଧିକାରୀଙ୍କ ସେତିକି ଦାୟିତ୍ୱ। ଆଉ ଏହି ସ୍ବର ମଞ୍ଚରେ ଉପସ୍ଥିତ ସମସ୍ତ ଅତିଥିଙ୍କ ମୁହଁରୁ ଶାଣିତ ହୋଇଥିଲା। ଏହି କର୍ମଶାଳା ସାମ୍ପ୍ରତ୍ତିକ ସ୍ଥିତିରେ କେତେ ଉପାଦେୟ ଥିଲା, ତାହା ମର୍ମେ ମର୍ମେ ସଭିଏଁ ଉପଲବ୍ଧି କରିଥିଲେ। ଓଡ଼ିଶା ବିକାଶ ଅଭିଯାନ ଆଗକୁ ଏମିତି ଜନହିତରେ ବାଧା ଦେଉଥ‌ିବା ଆଇନଗତ ପ୍ରତିବନ୍ଧକ, କଟକଣାକୁ ହଟାଇ ସରଳ ସମାଧାନ ଦିଗରେ
ଜନତାର ସ୍ୱର ଓ ସରକାରଙ୍କ ପଦକ୍ଷେପ ଭିତରେ ସକରାତ୍ମକ ଢଙ୍ଗରେ ଯୋଗସୂତ୍ର ହୋଇ ରହିବ ।

Leave A Reply

Your email address will not be published.