ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାତୀୟ ବାଳିକା ହକିରେ କ୍ବାର୍ଟରଫାଇନାଲରେ ପ୍ରବେଶ କଲା ଓଡ଼ିଶା । ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ଓ ପଞ୍ଜାବ କ୍ବାର୍ଟର ଫାଇନାଲ ପ୍ରବେଶ କରିଥିଲେ। ସୋମବାର ନିଜର ଶେଷ ଲିଗ୍ ମ୍ୟାଚ୍ ଜିତି ଓଡ଼ିଶା, ହରିୟାଣା, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର କ୍ବାର୍ଟର ଫାଇନାଲ ସ୍ଥାନ ସୁରକ୍ଷିତ କରିଛନ୍ତି। ମଙ୍ଗଳବାର ସମସ୍ତ ଚାରୋଟି ଯାକ କ୍ବାର୍ଟରଫାଇନାଲ ମ୍ୟାଚ୍ ଖେଳାଯିବ। ଓଡ଼ିଶା କ୍ବାର୍ଟରଫାଇନାଲରେ ଛତିଶଗଡ଼କୁ ଭେଟିବ।
ସେହିଭଳି ଅନ୍ୟ କ୍ବାର୍ଟରଫାଇନାଲଗୁଡ଼ିକରେ ମହାରାଷ୍ଟ୍ର-ମଧ୍ୟପ୍ରଦେଶ, ହରିୟାଣା-ପଞ୍ଜାବ ଏବଂ ଝାଡ଼ଖଣ୍ଡ-ମିଜୋରାମ ମୁହାଁମୁହିଁ ହେବେ। ପୁଲ୍ ସି’ର ଶେଷ ମ୍ୟାଚ୍ରେ ଓଡ଼ିଶା ୪-୦ ଗୋଲ୍ରେ ତାମିଲନାଡୁକୁ ହରାଇଥିଲା। ମ୍ୟାଚ୍ସାରା ଓଡ଼ିଶାର ଦବ୍ଦବା ସ୍ପଷ୍ଟ ପରିଲକ୍ଷିତ ହୋଇଥିଲା। ନବମ ମିନିଟ୍ରେ ପ୍ରତିଭା ଏକ୍କା ଫିଲ୍ଡ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ। ଏହାପରେ ରମ୍ଭା କୁଜୁର(୧୬), ଅସୀମା ରାଉତ(୨୯) ଓ ପୂଜା ସାହୁ(୫୮) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ତାମିଲନାଡ଼ୁ ଖେଳାଳି ଏକାଧିକ ପ୍ରୟାସ କରିଥିଲେ ମଧ୍ୟ ଗୋଲ ଦେବାରେ ସକ୍ଷମ ହୋଇନଥିଲେ।