ଓଡିଆ ନ୍ୟୁଜ (ବ୍ୟୁରୋ) : ମାଓ ହମଲାରେ ସହିଦ ହୋଇଥିବା ଓଡିଆ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ମାଟିର ବୀରକୁ ହରାଇଥିବାରୁ ସାରା ଗାଁ’ରେ ଶୋକାକୂଳ ପରିବେଶ ରହିଛି । ରାଷ୍ଟ୍ରୀୟ ମର୍ୟ୍ୟାଦା ସହକାରେ କରାଯାଇଛି ଅନ୍ତିମ ସଂସ୍କାର। ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି। ଆଜି ସୁଶାନ୍ତ କୁମାର ଖୁଣ୍ଟିଆଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି। ସହିଦ୍ ଯବାନଙ୍କ ମରଶରୀର ରାଞ୍ଚିରୁ କେନ୍ଦୁଝର ଦେଇ ସଡ଼କ ପଥରେ ଆସିବା ପରେ ପୂର୍ବାହ୍ନ ସାଢେ ନଅଟାରେ ଶୈଲଙ୍ଗ ଛକ ନିକଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଏକ ବିଶାଳ ଶୋଭାଯାତ୍ରା ଘସିପୁରା, ଶାଳପଡା, ଆନନ୍ଦପୁର ବ୍ରିଜ ଛକ, ବଡ଼ଦାଣ୍ଡ ଦେଇ ମରଶରୀର ୬ ନମ୍ବର ୱାର୍ଡରେ ଥିବା ତାଙ୍କ ଘରେ ପହଞ୍ଚିଥିଲା। ତାଙ୍କ ଘରେ ପରିବାର ସମ୍ପର୍କୀୟ ଶେଷ ଦର୍ଶନ କରିବା ପରେ ଶୋଭାଯାତ୍ରାରେ ବୈତରଣୀ ନଦୀକୂଳ ଶ୍ମଶାନକୁ ନିଆ ଯାଇଥିଲା। ସି ଆର୍ ପି ଏଫ୍ ପକ୍ଷରୁ ତୋପ ସଲାମି ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସହିଦ୍ ସୁଶାନ୍ତ ଅମର ରହେ ଧ୍ୱନିରେ ଚାରିଆଡ଼େ ପ୍ରକମ୍ପିତ ହୋଇଥିଲା।
ସୂଚନାଥାଉକି, ଝାଡଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲାର ହାତିବୁରୁ ଜଂଗଲରେ ମାଓବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନରେ ତାଙ୍କର ମୃତ୍ୟୁ ହୋଇଛି । ମାଓବାଦୀମାନେ ଅଚାନକ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଗୁଳିମାଡର ଜବାବ ଦେବାକୁ ଯାଇ ପାଲଟା ଗୁଳି ମାଡ କରିଥିଲେ ଯବାନ । କିଛି ସମୟ ଗୁଳି ବିନିମୟ ପରେ ଦୁଇ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ ଓ ମୁନ୍ନା ଯାଦବ ଗୁରୁତର ହୋଇ ପଡିଥିଲେ । ତାପରେ ଉଭୟଙ୍କୁ ହେଲିକପ୍ଟର ଯୋଗେ ରାଞ୍ଚି ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ସୁଶାନ୍ତଙ୍କର ଦେହାନ୍ତ ହୋଇଯାଇଛି । ସୁଶାନ୍ତଙ୍କ ଦେହାନ୍ତ ଖବର ଶୁଣି କାନ୍ଦ ବୋବାଳିରେ ଫାଟି ପଡୁଛି ସମଗ୍ର ଅଂଚଳ । ସହିଦ ହୋଇଥିବାରୁ ଗର୍ବିତ ହେଉଥିଲେ ମଧ୍ୟ ଏତେ କମ୍ ବୟସରୁ ତାଙ୍କ ଚାଲିଯିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟ । ସହିଦଙ୍କ ସମ୍ମାନରେ ଆଜି ଆନନ୍ଦପୁର ବଜାର ବନ୍ଦ କରାଯାଇଛି ।