ଓଡିଶା ହାଇକୋର୍ଟର ବିରଳ ରେକର୍ଡ, ୪୧ ପୃଷ୍ଠାର ପ୍ରଥମ ଓଡ଼ିଆ ରାୟ ଦେଇଛନ୍ତି ନ୍ୟାୟମୂର୍ତ୍ତୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କୌଣସି ଆଞ୍ଚଳିକ ଭାଷାରେ ରାୟ ପ୍ରକାଶିତ ହେବା ଭଳି ବିରଳ ରେକର୍ଡ ଏବେ ଓଡିଶା ହାଇକୋର୍ଟ ପାଖରେ। ୪୧ ପୃଷ୍ଠାର ପ୍ରଥମ ଓଡ଼ିଆ ରାୟ ଦେଇଛନ୍ତି ନ୍ୟାୟମୂର୍ତ୍ତୀ ଡ଼କ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀ। ଓଡିଶା ହାଇକୋର୍ଟ ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଓଡିଆରେ ରାୟ ପ୍ରକାଶ କରି ହାଇକୋର୍ଟ ଆଉ ଏକ ଇତିହାସ ସୃଷ୍ଟି କରିପାରିଛି। ଡ଼କ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ କୌଣସି ଆଞ୍ଚଳିକ ଭାଷାରେ ରାୟ ପ୍ରଦାନ କରିବାରେ ହେଉଛନ୍ତି ଦେଶର ପ୍ରଥମ ବିଚାରପତି। ଭାରତୀୟ ନ୍ୟାୟପାଳିକାରେ ଇଂରାଜୀ ଭାଷାରେ ରାୟ ପ୍ରକାଶ କରିବାର ପ୍ରଥା ରହିଆସିଛି। କିନ୍ତୁ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟର ନିମ୍ନ ଅଦାଲତରେ ହିନ୍ଦୀ ଭାଷାରେ ରାୟ ପ୍ରକାଶିତ ହୋଇଥାଏ। କିନ୍ତୁ ଦେଶରେ କୌଣସି ଆଞ୍ଚଳିକ ଭାଷାରେ କେବେ କୌଣସି ରାୟ ପ୍ରକାଶ ହୋଇ ନଥିଲା।

ଆହୁରି ମଧ୍ୟ ଓଡ଼ିଆ ଭାଷାରେ କୌଣସି ରାୟ ପ୍ରକାଶିତ ହେବା ଏହା ପ୍ରଥମ ଘଟଣା। ଏକ ସିଭିଲ ମାମଲାର ଶୁଣାଣି ଗତ ୧୯ ତାରିଖରେ ଶେଷ କରି ରାୟକୁ ସଂରକ୍ଷିତ ରଖିଥିଲେ ଖଣ୍ଡପୀଠ। ହାଇକୋର୍ଟ ୭୫ ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ଏହି ରାୟ ଓଡିଆରେ ପ୍ରଦାନ କରିଛନ୍ତି ଡ଼କ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ। ସାଧାରଣ ଲୋକ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କ ରାୟକୁ ବୁଝି ପାରି ନ ଥାନ୍ତି। କିନ୍ତୁ ନିଜ ମାତୃଭାଷାରେ ରାୟ ପ୍ରକାଶ ପାଇଲେ ତାହା ସେମାନଙ୍କୁ ବୋଧଗମ୍ୟ ହୋଇ ପାରିବ। ପୂର୍ବରୁ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ଼ ବିଭିନ୍ନ ଆଂଚଳିକ ଭାଷାରେ ରାୟ ପ୍ରକାଶ ଉପରେ ଗୁରୁତ୍ୱ ଦେଇଥିଲେ।

୨୦୨୩ ଫେବୃଆରୀ ୧୦ ତାରିଖରେ ଓଡ଼ିଶାର ୧୦ ଟି ଭରଚୁଆଲ କୋର୍ଟର ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଭରଚୁଆଲ ବ୍ୟବସ୍ଥାରେ ଯୋଗ ଦେଇ ସୁପ୍ରିମକୋର୍ଟଙ୍କ ରାୟ ବିଭିନ୍ନ ଆଞ୍ଚଳିକ ଭାଷାରେ ଅନୁବାଦ ପାଇଁ ମାଡ୍ରାସ ଆଇଆଇଟି ସହଯୋଗରେ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି କହିଥିଲେ। ଏହା ସହିତ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର ଓଡିଶା ହାଇକୋର୍ଟଙ୍କ ରାୟର ଓଡ଼ିଆ ଅନୁବାଦ ପାଇଁ ପଦକ୍ଷେପ ନେବେ ବୋଲି ଆଶା କରିଥିଲେ।

ମାତ୍ର ୫ ମାସ ମଧ୍ୟରେ ପ୍ରଧାନ ବିଚାରପତିଙ୍କ ପରାମର୍ଶକୁ ଓଡିଶା ହାଇକୋର୍ଟ ତାହା କାର୍ଯ୍ୟକାରୀ କରି ପାରିଛି। ଓଡିଶା ହାଇକୋର୍ଟ ତଥା ଦେଶର ପ୍ରଥମ ଓଡ଼ିଆ ରାୟ ମାମଲାର ପରିଚାଳନାରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ, ସରକାରଙ୍କ ପକ୍ଷରୁ ମହାଧିବକ୍ତା ଅଶୋକ କୁମାର ପରିଜା, ଅତିରିକ୍ତ ସରକାରୀ ଓକିଲ ଟି କେ ପଟ୍ଟନାୟକ ଓ ସତର୍କକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜ୍ଞାନ କୁମାର ଶର୍ମା ମକଦ୍ଦମା ପରିଚାଳନା କରୁଥିଲେ।

Leave A Reply

Your email address will not be published.