ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୫ ଜଣ ବରିଷ୍ଠ ଉପସଭାପତି, ୧୨ ଜଣ ଉପ ସଭାପତିଙ୍କୁ ନେଇ ଗଠନ ହେଲା ଓଡିଶା ପ୍ରଦେଶ କଂଗ୍ରେସ କମିଟି । ଯେଉଁଥିରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ପଦାଧିକାରୀଙ୍କ ନାଁ ଘୋଷଣା କରାଯାଇଛି । ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପଦାଧିକାରୀ ତାଲିକାକୁ ମଞ୍ଜୁର ପ୍ରଦାନ କରିଛି ଅଖିଳ ଭାରତୀୟ କଂଗ୍ରେସ କମିଟି । ତେବେ ରାଜ୍ୟ କଂଗ୍ରେସର ଏହି ପଦାଧିକାରୀ ତାଲିକାରେ ୫ ଜଣ ବରିଷ୍ଠ ଉପସଭାପତି ଥିବାବେଳେ, ୧୨ ଜଣ ଉପସଭାପତି ରହିଛନ୍ତି । ସେହିପରି କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି ।
ପ୍ରଦେଶ କଂଗ୍ରେସର ସିନିୟର ଲିଡର ଗଣେଶ୍ୱର ବେହେରା, ତାରା ପ୍ରସାଦ ବାହିନୀପତି, ଦେବାଶିଷ ପଟ୍ଟନାୟକ, ଶିବାନନ୍ଦ ରାୟ ଓ ସରସ୍ୱତୀ ହେମ୍ବମଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ୱ ଦିଆଯାଇଥିବାବେଳେ ଉପସଭାପତି ଭାବେ ମମତା ମାଢି, ଅଧିରାଜ ମୋହନ ପାଣିଗ୍ରାହୀ, ବିଭୂତି ମିଶ୍ର, ରାଜ୍ଜନ ଏକ୍କା, କିଶୋର ଜେନାଙ୍କ ସହ ମୋଟ ୧୧ ଜଣଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ପ୍ରଦେଶ କଂଗ୍ରେସ କମିଟିରେ ୩୯ ଜଣ ସାଧାରଣ ସମ୍ପାଦକ, ୬୧ ଜଣ ସମ୍ପାଦକ ନିଯୁକ୍ତ କରାଯାଇଛି । ସୂଚନାଯୋଗ୍ୟ ଯେ, ଦୁଇ ଦିନ ତଳେ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା ବିଜୟ ପଟ୍ଟନାୟକଙ୍କୁ ।