ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍ ବୈଠକରେ ହୋଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକର୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ବୈଠକରେ ହକିକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଆଗାମୀ ୧୦ ବର୍ଷ ପାଇଁ ଭାରତୀୟ ହକି ଟିମର ପ୍ରାୟୋଜକ ଭାବେ ଓଡ଼ିଶା ରହିବା ନେଇ କ୍ୟାବିନେଟରେ ଅନୁମୋଦନ ମିଳିଛି । ଅର୍ଥାତ ୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକି ଟିମର ପ୍ରାୟୋଜ ରହିବ ଓଡ଼ିଶା । ଏହି ନିଷ୍ପତ୍ତି କ୍ରୀଡ଼ା କ୍ଷେତ୍ରରେ ଅନେକ ସମ୍ଭାବନା ସୃଷ୍ଟି କରିବ । ଓଡ଼ିଶା ଲଗାତାର ଦୁଇଥର ହକି ବିଶ୍ୱକପର ଆୟୋଜନ କରି ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଡ଼ିଶାକୁ ସ୍ପୋର୍ଟ୍ସ ହବ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖିଛନ୍ତି । ଆଜିର କ୍ୟାବିନେଟ ମଞ୍ଜୁରୀ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ଆଗକୁ ନେବାରେ ସହାୟକ ହେବ । କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ହକିର ଲୋକପ୍ରିୟତା ବୃଦ୍ଧିରେ ଏହା ସହାୟକା ହେବ । ସୂଚନାଯୋଗ୍ୟ ଯେ, ସାହାର ଇଣ୍ଡିଆ ଭାରତୀୟ ହକି ଟିମର ସ୍ପନସରସିପ୍ ଛାଡ଼ିବା ପରେ ଭାରତୀୟ ହକି ପାଇଁ ସଂକଟ ସୃଷ୍ଟି ହୋଇଥିଲା । ଏହି ସମୟରେ ଓଡ଼ିଶା ଭାରତୀୟ ହକି ପାଇଁ ଆଶାର ଆଲୋକ ଭାବେ ଉଭା ହୋଇଥିଲା।
ଓଡ଼ିଶା ସରକାର ଭାରତୀୟ ହକି ଟିମକୁ ସ୍ପନସର କରିବାକୁ ନିଷ୍ପତ୍ତି ନେଇଥିଲେ । ଓଡ଼ିଶା ଦୁଇ ଦୁଇ ଥର ହକି ବିଶ୍ୱକପ୍ ଆୟୋଜନ କରି ହକିକୁ ନେଇ ନିଜ ପ୍ରତିବଦ୍ଧତାର ପରିଚୟ ଦେଇ ସାରିଛି । ସୂଚନାଥାଉକି ୨୦୨୧ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ୧୦ ବର୍ଷ ପାଇଁ ଭାରତୀୟ ଟିମକୁ ସ୍ପୋନ୍ସର କରିବେ ବୋଲି ଘୋଷଣା କରିଥିଲେ । ଟୋକିଓ ଅଲିମ୍ପିକରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ସଫଳତା ମିଳିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସମୟରେ ଏହି ଘୋଷଣା କରିଥିଲେ । ସୂଚନାଥାଉକି ୨୦୧୮ ମସିହାରୁ ଭାରତୀୟ ଟିମକୁ ସ୍ପନ୍ସର କରିଆ ଆସୁଛି ଓଡ଼ିଶା । ଏବଂ ଏହି ଚୁକ୍ତି ୫ ବର୍ଷ ପାଇଁ ହୋଇଥିଲା । ଯାହାକି ୨୦୨୩ରେ ଶେଷ ହେବାକୁ ଯାଉଥିଲା । ଏବେ ୧୦ ବର୍ଷ ସରକାର ବଢ଼ାଇବା ପରେ ୨୦୩୩ ପର୍ଯ୍ୟନ୍ତ ଭାରତ ପ୍ରାୟୋଜକ ଭାବେ ରହିବ ଓଡ଼ିଶା ।
ସେହିଭଳି ପ୍ରସ୍ତାବ ମଧ୍ୟରେ କଟକ ରିଂ ରୋଡକୁ ( ଖାନ ନଗରଠାରୁ ଲିଙ୍କ ରୋଡ ପର୍ଯ୍ୟନ୍ତ) ୬ ଲେନ ବିଶିଷ୍ଟ କରାଯିବା ନିଷ୍ପତ୍ତି ରହିଛି । ଏହି ପ୍ରକଳ୍ପ ୨୪ ମାସ ମଧ୍ୟରେ ଶେଷ କରାଯିବ ବୋଲି ଜଣାପଡ଼ିଛି। ଏହାଦ୍ବାରା କଟକ ସହରର ଟ୍ରାଫିକ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ। ଏହାସହ ଓଡିଶା ଇଭି ପଲିସି-୨୦୨୧ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜରୀ ମିଳିଛି । ଏଥିସହ ବିଦ୍ୟୁତ ବଣ୍ଟନ କମ୍ପାନୀଙ୍କୁ ଆର୍ଥିକ ସହାୟତା ଦିଆଯିବା ନେଇ ପ୍ରସ୍ତାବ ମଧ୍ୟ ଅନୁମୋଦନ ହୋଇଛି। ଓବିସି କମିସନ ସଂଶୋଧନ ନେଇ ଅଧ୍ୟାଦେଶ ଅଣାଯିବାକୁ କ୍ୟାବିନେଟ୍ ମଞ୍ଜରୀ ଦେଇଛି । ସେହିପରି ଅବକାରୀ ସବଇନସପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଓଡିଶା ଜଙ୍ଗଲସେବା କ୍ୟାଡରର ପୁନଃଗଠନ କରାଯିବା ପ୍ରସ୍ତାବ ଉପରେ ମୋହର ଲାଗିଛି। ତା ସହିତ ବିଜୁ ସେତୁ ଯୋଜନାର ଅବଧିକୁ ୨୦୨୫-୨୬ ମସିହାକୁ ବୃଦ୍ଧି କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର ମିଳିଛିଛି।