ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଦ୍ୟାଂ ଦେହୀ ନମୋସ୍ତୁତେ । ଆଜି ପବିତ୍ର ବସନ୍ତ ପଞ୍ଚମୀ । ମା ବାଗ୍ଦେବୀଙ୍କ ପୂଜା । ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥିରେ ପାଳନ ହୁଏ ମାଆ ପୂଜା । ବିଦ୍ୟାପ୍ରାପ୍ତି ନିମନ୍ତେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ ।
ଋତୁରାଜ ବସନ୍ତ ମନ୍ଦ ମଳୟରେ ଫୁଲର ସୁରଭି ଭରି ସ୍ୱାଗତ କରେ ବିଦ୍ୟାଦାୟିନୀ ମା’ ସରସ୍ବତୀଙ୍କୁ । ମା’ ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ବସନ୍ତ ପଞ୍ଚମୀ ଦିନଠାରୁ ଆରମ୍ଭ ହୁଏ ବସନ୍ତ ଋତୁ । ଏଥର ବସନ୍ତ ପଞ୍ଚମୀ ଦିନ ରବି ଯୋଗ ଏବଂ ଅମୃତ ସିଦ୍ଧି ଯୋଗର ବିଶେଷ ସଞ୍ଜୋଗ ହେବ । ମା’ଙ୍କୁ ଶ୍ବେତ ଅର୍ଥାତ ଧଳା ରଙ୍ଗର ଫୁଲ ଏବଂ ହଳଦିଆ ବହୁତ ପସନ୍ଦ ହୋଇଥାଏ । ତେଣୁ ତାଙ୍କୁ ଧଳା ପୁଷ୍ପରେ ପୂଜା କରନ୍ତୁ । ଦେବୀ ସରସ୍ବତୀଙ୍କୁ ପୂଜା କରିବା ଦ୍ବାରା ଜ୍ଞାନ ବଢିଥାଏ । ବିଶେଷକରି ଛାତ୍ରଛାତ୍ରୀମାନେ ମାଆଙ୍କୁ ବିଧିବିଧାନର ସହ ପୂଜା କରିଥାଆନ୍ତି । ସରସ୍ବତୀଙ୍କୁ ଜ୍ଞାନର ଦେବୀ କୁହାଯାଏ । ସେ ବିଦ୍ୟାଦେବୀ, ବୁଦ୍ଧି ସିଦ୍ଧି ଓ ମୁକ୍ତିବାତ୍ରୀ । ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ ମା’ ସରସ୍ବତୀ ।
ବିଦ୍ୟାଦାତ୍ରୀଙ୍କ ଆଶିଷ ଟିକିଏ ପାଇବାକୁ ଛାତ୍ରଛାତ୍ରୀମାନେ ପୂଜାମଣ୍ଡପକୁ ଅତି ସୁନ୍ଦର ଭାବେ ସଜାଇ ଥାଆନ୍ତି । ମାତା ସରସ୍ୱତୀଙ୍କର ପୂଜା ଓ ପୁଷ୍ପାଞ୍ଜଳୀ ଦେବା ପର୍ଯ୍ୟନ୍ତ ସେମାନେ ଉପବାସ ରଖିଥାନ୍ତି । ଏଇ ଦିନ ପିଲାମାନେ ଦେବୀ ସରସ୍ୱତୀଙ୍କର ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ସେମାନଙ୍କର ପାଠ୍ୟପୁସ୍ତକ ଓ କଲମ ଆଦିକୁ ମାତାଙ୍କ ପାଖରେ ସମର୍ପଣ କରିଥାନ୍ତି ।