ଆରପାରିରେ ଶବ ବୁହା ମଣିଷ ଶୋକାକୁଳ ବାସୁଦେବପୁର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜ୍ଞା ଆମେ ଏମିତି ଜଣେ ମଣିଷ ଙ୍କ କଥା ଆଜି ବଖାଣିବୁ ଯାହା ଙ୍କ କିଶୋର,ଯୌବନ ଓ ବୃଦ୍ଧାବସ୍ଥା କଟିଗଲା ଯନ୍ତ୍ରଣାସିକ୍ତ ମାନଵ ସମାଜ ପାଇଁ। ଦୁର୍ଘଟଣା ହେଉ ଅଥବା ମୃତ୍ୟୁଶଯ୍ୟା ସବୁବେଳେ ଲୋଡା ପଡନ୍ତି ସେ।ନିଜର ପିଲାଛୁଆ ଓ ଘର ସଂସାର କୁ ବେଖାତିର କରି ନିଜର ଅତିପ୍ରିୟ ଜିପ୍ ସହିତ ପହଞ୍ଚି ଯାଆନ୍ତି ଦୁର୍ଘଟଣା ସ୍ଥଳରେ। ଜୀବନ ତମାମ୍ ନିଜ ଜିପ୍ ରେ ଶବ ବୋହି ବୋହି ସେ ପାଲଟି ଯାଇଥିଲେ ଶବବୁହା ମଣିଷ।ଆଜି ସେହି ଶଵ ବୁହା ମଣିଷ ବୁଜି ଦେଇଛନ୍ତି ଆଖି।ତାଙ୍କୁ ହରାଇ ଗୁମୁରି ଗୁମୁରି କାନ୍ଦୁଛି ପୁରା ବାସୁଦେବପୁର। ଏମିତି ଏକ ନିଃସ୍ଵାର୍ଥପର ଓ ନିଆରା ମଣିଷ ଥିଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ପୈରପାଳିକା ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ର ଶଚିନ୍ଦ୍ର ବେହେରା ଓ ଓରଫ୍ ଶୁକୁଟା ଭାଇ ।

ମାଗୁଣି ର ଶଗଡ଼ ଗାଡ଼ି ପରି ଦୀର୍ଘ ୫୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସମାଜ ସେବାରେ ବ୍ରତି ଥିବା ଶୁକୁଟା ଭାଇ ୯୪ ବର୍ଷ ରେ ପାଦ ଥାପି ଥିଲେ ମଧ୍ୟ ତାଙ୍କ ଯୁବ ସୁଲଭ ଉନ୍ମାଦତା କମିନଥିଲା। ଆର୍ଥିକ ସ୍ୱଚ୍ଛଳ ନ ଥିଲେ ମଧ୍ୟ ନିଜର ଅତିପ୍ରିୟ ଜିପ୍ ଗାଡ଼ିକୁ ଲାଭଜନକ ବ୍ୟବସାୟ ରେ ନ ଲଗାଇ ଶବ ବୋହିବା କାମରେ ଲଗାଇ ଦେଇଥିଲେ।ଅର୍ଥ ଉପାର୍ଜନ ତାଙ୍କ ପାଇଁ ଗୌଣ ଥିଲା। ଖବର ପାଇବା ମାତ୍ରେ ଜିପ୍ ଧରି ପହଞ୍ଚି ଯାଉଥିଲେ ଦୁର୍ଘଟଣା ସ୍ଥଳରେ। ଉଦ୍ଧାର କରିଛନ୍ତି ଅନେକ ଆହାତ ଙ୍କୁ। ଡାକ୍ତରଖାନାରେ ଚିକିତ୍ସିତ କରାଇ ସେଥିରୁ ସେ ପାଆନ୍ତି ପରମ ଆନନ୍ଦ। ତାଙ୍କର ପ୍ରାଣଦୀପ ଲିଭିବା ପର୍ଯ୍ୟନ୍ତ ସେ ଏହି ମାନବ ସେବା କାର୍ଯ୍ୟରେ ଲିପ୍ତ ଥିଲେ।ଆଜି ସେ ଆର ପାରିରେ ହେଲେ ମୁନିବ କୁ ଅପେକ୍ଷା କରି ଛିଡା ହୋଇଛି ତାଙ୍କର ଅତି ପ୍ରିୟ ନୀଳ ରଙ୍ଗ ର ଜିପ୍।

ଏହି ଜିପ୍ ରେ ସଚିନ୍ଦ ବେହାରା ଓରଫ୍ ଶୁକୁଟା ଦାଦା ପ୍ରବାଦ ପୁରୁଷ ବିଜୁ ପଟନାୟକ ଓ ବିଶିଷ୍ଟ ଜନ ନେତା ନୀଳମଣି ରାଉତରାୟ ଙ୍କୁ ବସାଇ ଦେଖାଇଥିଲେ ବାସୁଦେବପୁର ର ଭୈଗଳିକ ମାନଚିତ୍ର।ନିଜ ଜୀବିତ ଅବସ୍ଥାରେ ବିଜୂ ବାବୁ ଙ୍କୁ ନିଜ ପ୍ରିୟ ଶବ ବୁହା ଜିପ୍ ରେ ବସାଇ ଆନନ୍ଦ ରେ ଉଲ୍ଲସିତ ହେଉଥିଲେ ଶୁକୁଟା ଦାଦା। ଧୋବ ଫର ଫର ଧୋତି ଓ ପଂଜାବୀ ପିନ୍ଧା ଛ ଫୁଟ ଉଚ୍ଚତା ବିଶିଷ୍ଟ ମଣିଷ ଟି ଆଜି ହଠାତ୍ ୯୪ ବର୍ଷ ବୟସ ରେ ବୁଜିଦେଲେ ଆଖି। ସଭିଙ୍କ କଣ୍ଠ ରେ ଶୁଭୁଛି ଶବବୁହା ମଣିଷ ପାଲଟି ଗଲା ଶବ। ଦୀର୍ଘ ଦିନ ଧରି ସମାଜ ସେବା ରେ ବ୍ରତୀ ଥିବା ସୁକୁଟା ବେହେରା ଙ୍କ ମୃତ୍ୟୁ ରେ ଅଂଚଳ ରେ ଶୋକ ର ଛାୟା ଖେଳି ଯାଇଥିବା ବେଳେ ପ୍ରଶାସନିକ ସ୍ତର ରୁ ପରିବାର ବର୍ଗ ଙ୍କୁ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ମତ ପ୍ରକାଶ ପାଉଛି।

Leave A Reply

Your email address will not be published.