ଓଡିଆ ନ୍ୟୁଜ୍(ବ୍ୟୁରୋ): ଲଘୁଚାପ ଅବପାତରେ ପରିଣତ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଦକ୍ଷିଣ ଓଡ଼ିଶା ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଅବପାତରେ ପରିଣତ ହୋଇଛି । ଏହା ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରୁ ଉତ୍ତର ପଶ୍ଚିମ ଦିଗରେ ୨୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଘଣ୍ଟାକୁ ୨୫ କି.ମି. ବେଗରେ ଗତି କରୁଥିବାବେଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ୧୦ କି.ମି. ଦୂରରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ସେହି ଜିଲ୍ଲାଗୁଡିକ ହେଲା କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ । ବର୍ଷାର ପ୍ରକୋପ ଆହୁରି ୨୪ ଘଣ୍ଟା ଜାରି ରହିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାପାଇଁ ବାରଣ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟର ସବୁ ବନ୍ଦରଗୁଡ଼ିକରେ ୩ ନଂ ବିପଦ ସଙ୍କେତ ଜାରି କରାଯାଇଛି । ମୟୁରଭଞ୍ଜ ଓ ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବର୍ଷାର ପ୍ରଭାବରେ ସାରା ରାଜ୍ୟ ଭିଜିବାରେ ଲାଗିଛି । ଢେଙ୍କାନାଳରେ ସର୍ବାଧିକ ୧୫୪ ମି.ମି. ବର୍ଷା ରେକର୍ଡ ହୋଇଥିବାବେଳେ ପୋଡ଼ାଢିହାରେ ୧୦୪ ମି.ମି. ରେକର୍ଡ ହୋଇଛି ।