ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶେଷ ହୋଇଛି ପହଣ୍ଡି ବିଜେ ନୀତି। ଜନ୍ମବେଦୀରୁ ବାହାରି ରଥାରୂଢ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତି। ପରମ୍ପରା ଅନୁସାରେ ଆଜି ଅପରାହ୍ନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ବଡଭାଇ ବଳଭଦ୍ରଙ୍କ ସହ ରଥାରୂଢ ହୋଇଛନ୍ତି ଚକ୍ରରାଜ ସୁଦର୍ଶନ। ପ୍ରଥମେ ବଡଭାଇ ବଳଭଦ୍ର ତାଳଧ୍ବଜ ରଥରେ ପରେ ପରେ ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ ଦର୍ପଦଳନ ରଥରେ ବିଜେ ହୋଇଥିଲେ।
ଶେଷରେ ଏଠାକାର ନୀତି ଅନୁଯାୟୀ ସ୍ବତନ୍ତ୍ର ଗାୟକଙ୍କ ଦ୍ବାରା ସଂଗୀତ ଗାନ ପୂର୍ବକ ମାଉସୀ ଘରୁ ବିଦାୟ ନେଇ ପଣ୍ଡା ପଢିହାରୀ ଓ ସେବାୟତ ତଥା ଅଗଣିତ ଭକ୍ତଙ୍କ ଗହଣରେ ନନ୍ଦିଘୋଷ ରଥରେ ବିଜେ ହୋଇଛନ୍ତି କାଳିଆ ସାଆନ୍ତେ। ଆସନ୍ତାକାଲି ହେବ ବାହୁଡା ପାଇଁ ପ୍ରଥମ ପର୍ଯ୍ୟାୟ ରଥଟଣା। ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡା ଯାତ୍ରାରେ ମଧ୍ୟ ପ୍ରଥମ ଦିନରେ କେବଳ ପହଣ୍ଡି ବିଜେ ହୋଇ ଚତୁର୍ଦ୍ଧା ମୂର୍ତି ରଥାରୂଢ ହୋଇ ରହନ୍ତି। ପରଦିନ ଠାରୁ ଦୁଇ ଦିନ ଧରି ଅନୁଷ୍ଠିତ ହୁଏ ରଥଟଣା। ଏହି ପରମ୍ପରା ଅନୁସାରେ ଆସନ୍ତା କାଲି ହେବ ପ୍ରଥମ ପର୍ଯ୍ୟାୟ ରଥ ଟଣା।
ପୂର୍ବାହ୍ନରେ ଜନ୍ମବେଦୀରେ ଶୀ ଜୀଉ ମାନେ ଦ୍ବାରିକା ବେଶ ବା ସୁନାବେଶରେ ଦର୍ଶନ ଦେଇଥିଲେ ଭକ୍ତଙ୍କୁ। ଯାହାକୁ ଟିକେ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିତରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ। ଦୀର୍ଘ ସମୟ ଧରି ଲମ୍ବାଧାଡିରେ ଛିଡା ହୋଇ ସୁନାବେଶ ଦର୍ଶନ କରିଥିଲେ ହଜାର ହଜାର ଶ୍ରଦ୍ଧାଳୁ। ଦିନ ପ୍ରାୟ ଗୋଟାଏ ପର୍ଯ୍ୟନ୍ତ ସୁନାବେଶ ଦର୍ଶନ ପରେ ଆରମ୍ଭ ହୋଇଥିଲା ପହଣ୍ଡି ପାଇଁ ସମସ୍ତ ରୀତିନୀତି ସହ ସଜବାଜ। ବାରିପଦା ବଡଦାଣ୍ଡରେ ପ୍ରବଳ ଭକ୍ତ ଗହଳିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଥିଲେ।