ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାକିସ୍ତାନ ଟିଭି ଚ୍ୟାନେଲରେ ଭାରତୀୟ ଶୋ ପ୍ରସାରଣ ବନ୍ଦକଲେ ପାକିସ୍ତାନ ସରକାର । ପାକିସ୍ତାନର ଲୋକମାନେ ଭାରତୀୟ ସୋ ଓ ବଲିଉଡ ସିନେମା ଦେଖିବାକୁ ବେଶ୍ ପସନ୍ଦ କରିଥାନ୍ତି । ହେଲେ ପାକିସ୍ତାନର କଟ୍ଟରବାଦୀ ସଂଗଠନମାନେ ଏହାକୁ ପସନ୍ଦ କରୁନାହାଁନ୍ତି । ଏବେ ଖବର ଆସିଛି କି ପାକିସ୍ତାନ ପକ୍ଷରୁ ସେଠିକାର ଟିଭି ଚ୍ୟାନେଲମାନଙ୍କୁ (ଯେଉଁ ଚ୍ୟାନେଲମାନେ ଭାରତୀୟ ଶୋ ପ୍ରସାରଣ କରିଥାନ୍ତି) ଭାରତୀୟ ଶୋ ପ୍ରସାରଣ ଉପରେ କଟକଣା ଲଗାଇଛନ୍ତି । ଏନେଇ କଟ୍ଟରବାଦୀ ସଂଗଠନମାନେ କେବୁଲ ଅପରେଟରଙ୍କ ବିରୋଧରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି ।
ପାକିସ୍ତାନୀ ଖବର କାଗଜ ‘ଦି ଡନ୍’ ର ରିପୋର୍ଟ ମୁତାବକ ପାକିସ୍ତାନୀ ଇଲେକ୍ଟ୍ରୋନିକ୍ସ ମିଡିଆ ରେଗୁଲେଟରୀ ଅଥରେଟୀ ତରଫରୁ ଟିଭି ଅପରେଟରମାନଙ୍କୁ ଭାରତୀୟ ସୋ ପ୍ରସାରଣ ତୁରନ୍ତ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଏହି ସରକାରୀ ସଂସ୍ଥା ନିର୍ଦ୍ଦେଶ ଦେଇଛି କି ପାକିସ୍ତାନୀ ଟିଭି ଅପରେଟରମାନେ ଅବୈଦ୍ଧ ଘୋଷିତ କିମ୍ବା ପ୍ରତିବନ୍ଧିତ ଭାରତୀୟ ଶୋ ର ପ୍ରସାରଣ ବନ୍ଦ କରନ୍ତୁ । ଅଥରେଟି ତରଫରୁ କୁହାଯାଇଛି କି, କେବଳ ଟିଭି ନେଟୱର୍କ ଉପରେ ବିତରଣ ପାଇଁ ପଞ୍ଜିକୃତଙ୍କ ବ୍ୟତୀତ କୌଣସି ଅନ୍ୟ ଟିଭି ଚ୍ୟାନେଲମାନଙ୍କୁ ଅନୁମତି ମିଳିବ ନାହିଁ । ପାକିସ୍ତାନୀ ଇଲେକ୍ଟ୍ରୋନିକ୍ସ ମିଡିଆ ରେଗୁଲେଟରୀ ଅଥରେଟୀ ତରଫରୁ କୁହାଯାଇଛି କି, ସଂସ୍ଥାର ନିୟମ ଉଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗଣମାଧ୍ୟମର ରିପୋର୍ଟ ମୁତାବକ ପାକିସ୍ତାନୀ ଇଲେକ୍ଟ୍ରୋନିକ୍ସ ମିଡିଆ ରେଗୁଲେଟରୀ ଅଥରେଟୀ କରାଚୀ ସ୍ଥିତ କାର୍ଯ୍ୟାଳୟ ତରଫରୁ ବିଭିନ୍ନ କ୍ଷେତ୍ର ନିରୀକ୍ଷଣ କରାଯାଇ ଡିଜିଟାଲ କେବୁଲ ନେଟୱର୍କ, ହୋମ ମିଡିଆ କମ୍ୟୁନିକେସନ, ଶାହଜେବ କେବଲ ନେଟୱର୍କ ଓ ସ୍କାଇ କେବୁଲ ଭିଜନ ଭଳି ସଂସ୍ଥାର କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଛି ।
ସୂଚନାଯୋଗ୍ୟ, ପାକିସ୍ତାନର ଲୋକମାନେ ଏବେ ଆର୍ଥିକ ସଂକଟ ମଧ୍ୟଦେଇ ଗତିକରୁଥିବାବେଳେ ସେଠାକାର ସରକାର ନିଜ ବିଫଳତାକୁ ମାନିବା ବଦଳରେ ଭାରତ ଆକ୍ରମଣ କରିଦେବ ବୋଲି ଲୋକଙ୍କୁ ଡରାଉଛନ୍ତି । ଏପରିକି ପଞ୍ଜାବ (ପାକିସ୍ତାନ)ରେ ନିର୍ବାଚନ କଲେ ଭାରତ ତାହାର ସୁଯୋଗରେ ଆକ୍ରମଣ କରି ଦେବ ବୋଲି ପାକ୍ ସରକାର ସେଠାକାର କୋର୍ଟରେ କହିଛନ୍ତି । ପାକିସ୍ତାନର ପଞ୍ଜାବ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ହୋଇଥିବା ଆବେଦନଉପରେ କୋର୍ଟ ଶୁଣାଣି କରୁଛନ୍ତି । ମାର୍ଚ୍ଚ ମାସରେ ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) କହିଥିଲେ ଯେ ପାକିସ୍ତାନ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି । ଦେଶରେ ସୁରକ୍ଷା ସ୍ଥିତି ବିଗିଡ଼ିଯାଇଛି । ଏଭଳି ସ୍ଥିତିରେ ପଞ୍ଜାବ ପ୍ରଦେଶରେ ବିଧାନସଭା ନିର୍ବାଚନ ହୋଇପାରିବ ନାହିଁ। ସେପଟେ ଶାହାବାଜ ସରକାର ସୁପ୍ରିମକୋର୍ଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି । ଯେଉଁ ରିପୋର୍ଟରେ ଭାରତ ସହ ଯୁଦ୍ଧ ବିଷୟରେ ଉଲ୍ଲେଖ କରାଯାଇଛି । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ଗୁରୁବାର ଏହି ରିପୋର୍ଟ ସୁପ୍ରିମ୍ କୋର୍ଟରେ ଦାଖଲ କରାଯାଇଛି ।