ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ରଣନୀତି। ନିର୍ବାଚନ ପାଖେଇ ଆସୁଥିବାବେଳେ କିଏ ଜିତିବା ସେନେଇ ୩ ଦଳ ମଧ୍ୟରେ ଜୋରଦାର ଲଢେ଼ଇ ଆରମ୍ଭ ହୋଇଯାଇଛି। ୩ ଦଳ ପ୍ରସ୍ତୁତ ହେଉଥିବାବେଳେ ଡିଜିଟାଲ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ହେଭିୱେଟ ନେତା।
ବିଜେପି ପକ୍ଷରୁ ଆସନ୍ତା ୬ କିମ୍ବା ୭ ତାରିଖରେ ଭର୍ଚୁଆଲ ରାଲି କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ନରେନ୍ଦ୍ର ସିଂ ତୋମାର ମଧ୍ୟ ଡିଜିଟାଲ କ୍ୟାମ୍ପେନିଂରେ ସାମିଲ ହୋଇପାରନ୍ତି । ଅନ୍ୟପଟେ ବିଜେଡି ମଧ୍ୟ ଡିଜିଟାଲ ପ୍ରଚାର ପାଇଁ ପ୍ରସ୍ତୁତ ଅଛି । ଫେସବୁକ, ଟୁଇଟର, ହ୍ୱାଟ୍ସଆପରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଦଳ ରଣନୀତି ତୟାର କରିଛି । ପ୍ରଚାର ମାହୋଲକୁ ସରଗରମ କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର କରି ଭୋଟରଙ୍କୁ ନିଜ ଅକ୍ତିଆରକୁ ଆଣିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ୮୫୩ଟି ଜିଲ୍ଲାପରିଷଦ ଜୋନରେ ଭର୍ଚୁଆଲ ପ୍ଲାଟଫର୍ମରେ ପ୍ରଚାର କରିବାକୁ ଯୋଜନା କରିଛି ବିଜେପି । ମୋଦି ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଅସ୍ତ୍ର କରିବ ବିଜେପି । ୨୦୧୭ ପଞ୍ଚାୟତ ନିର୍ବାଚନରେ କଡା ଟକ୍କର ସାମ୍ନା କରିଥିବା ବିଜେଡି ଚଳିତ ପଞ୍ଚାୟତ ନିର୍ବାଚନକୁ ପୂରା ଦମରେ ଲଢୁଛି । ନୂଆ ରଣନୀତିରେ ଡିଜିଟାଲ ପ୍ରଚାରକୁ ଅସ୍ତ୍ର କରିଛି ଦଳ । ବିଜେଡି ବିରୋଧରେ ହେଉଥିବା ଅପପ୍ରଚାର ଓ ଜନମତକୁ ନିଜ ସପକ୍ଷକୁ ଆଣିବା ପାଇଁ ପୁରା ଜୋସରେ କାମ କରୁଛି ବିଜେଡି ଟିମ୍ ।