ଚଳିତ ବର୍ଷ ପୂଜା ସିଜିନରେ ପ୍ରେକ୍ଷାଳୟକୁ ଆସିବାକୁ ସଜବାଜ ହେଉଛି ନୂଆ ଚଳଚ୍ଚିତ୍ର ‘ଗାଁର ନାଁ ଗାଲୁଆପୁର’। ଚଳଚ୍ଚିତ୍ରଟି ଅକ୍ଟୋବର ୧୫ ତାରିଖରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ଶୁଣାଯାଉଛି ଗାଁର ନାଁ ଗାଲୁଆପୁର-ଏକ ଅଜବ ଗାଁର ଗଜବ କଥା। ପ୍ରତିମା ପ୍ରଡକ୍ସନ୍ସ୍ ବ୍ୟାନର୍ ନିର୍ମିତ, ସନ୍ତୋଷ ଶତ୍ ପଥୀ ନିବେଦିତ ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ସମ୍ପ୍ରିତ୍ ସ୍ବରୂପ୍ ଶତ୍ ପଥୀ। ସହପ୍ରଯୋଜନାରେ ସହଭାଗିତା କରିଛନ୍ତି ସମ୍ବିତ୍ ସ୍ବରୂପ୍ ଶତପଥୀ, ଦୀପ୍ତିରଂଜନ ସାହୁ, ସବ୍ୟସାଚ୍ଚି ଜେନା ଓ ଦିବ୍ୟଲୋଚନ ସାହୁ। କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ନନ୍ଦଲାଲ ମହାପାତ୍ର। ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଜିତେନ୍ଦ୍ର ମହାପାତ୍ର ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ବର୍ଗତ ଅମରେନ୍ଦ୍ର ମହାନ୍ତି। ହାସ୍ୟରସର କାହାଣୀ ଉପରେ ପର୍ଯ୍ୟବସିତ ଉକ୍ତ ଚଳଚ୍ଚିତ୍ରର ନାୟିକା ସାଜିଛନ୍ତି ନବାଗତା ବାରିପଦା ଝିଅ ମନୀଷା ଧରମହାପାତ୍ର ଏବଂ ତାଙ୍କ ବିପକ୍ଷର ନାୟକ ସାଜିଛନ୍ତି ପପୁ ପମ୍ପମ୍। ଅନ୍ୟ ପ୍ରମୁଖ ଭୂମିକାରେ ମିହିର ଦାସ, କୁନା ତ୍ରିପାଠୀ, ଅନ୍ତର୍ଯ୍ୟାମୀ ପଣ୍ଡା, ସୁଜିତ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଆକ୍ସନ୍, କମେଡି ଓ ଇମୋସନ୍ ତ ମିଳିବ, ଏହା ବ୍ୟତୀତ ଓଲିଉଡରେ ମନୀଷାଙ୍କ ପହିଲି ପଦାର୍ପଣ ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି ଆଶାକରାଯାଉଛି।