ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେବଗଡ଼ ଜିଲ୍ଲାରେ ଚଳିତ ୨୦୨୪ ସାଧାରଣ ନିର୍ବାଚନ ଶାନ୍ତିପୂର୍ଣ୍ଣଭାବେ ସମାପ୍ତ ହୋଇଯାଇଛି । କୈାଣସି ସ୍ଥାନରେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ପ୍ରଥମେ କିଛି ସ୍ଥାନରେ ଇଭିଏମ ମେସିନ୍ ତୃଟି ଦେଖାଯିବାରୁ ସଙ୍ଗେ ସଙ୍ଗେ ତାକୁ ଠିକ୍ କରାଯାଇଥିଲା । ସମସ୍ତ ଭୋଟର୍, ପୋଲିଂ କର୍ମଚାରୀ ଓ ପୋଲିସ କର୍ମଚାରୀ ସହଯୋଗରେ ଚଳିତ ନିର୍ବାଚନ ଶାନ୍ତିପୂର୍ଣ୍ଣଭାବେ ସମାପ୍ତ ହୋଇଯାଇଛି ।
ଦେବଗଡ଼ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଅବାଧ, ନିରପେକ୍ଷ ଏବଂ ଶାନ୍ତି ଶୃଙ୍ଖଳା ନିର୍ବାଚନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୪୦ ଗୋଟି ସଖୀ ବୁଥ ଖୋଲିବା ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲାରେ ୩୩୮ ବୁଥରୁ ମତଦାନ କରିବା ନିମନ୍ତେ ସମୁଦାୟ ଭୋଟର ୨୫୧୩୯୪, ପୁରୁଷ ଭୋଟର ସଂଖ୍ୟା ୧୨୫୬୨୭ ରୁ ୯୬୫୦୧ ଜଣ ମତଦାନ କରିଛନ୍ତି (୭୬.୮୨%), ମହିଳା ଭୋଟର ତାଲିକାରେ ସଂଖ୍ୟା ୧୨୫୭୫୦ ରୁ ୯୯୯୯୫ ଜଣ ମତଦାନ କରିଛନ୍ତି ( ୭୯.୫୨%) ଓ ତୃତୀୟ ଲିଙ୍ଗୀ ଭୋଟର ସଂଖ୍ୟା ୧୭ ଜଣରୁ ୯ ଜଣ ( ୫୨.୯୪%) ମତଦାନ କରିଛନ୍ତି ।
ଜିଲ୍ଲାରେ ସମୁଦାୟ ୧୯୬୫୦୫ ଜଣ ( ୭୧.୮୪%) ମତଦାନ କରିଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବୁଥ ଗୁଡିକରେ ଉଏବ୍ କାଷ୍ଟିଙ୍ଗ କ୍ୟାମେରା ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଉପାଧ୍ୟାୟ ଏକ କାଳୀନ ସାଧାରଣ ନିର୍ବାଚନରେ ବହୁ ମାତ୍ରାରେ ଭୋଟ ଦେଇ ମତଦାନର ଏହି ମହାନ ପର୍ବକୁ ସଫଳ କରିବାରେ ସହଯୋଗ କରିଥିବାରୁ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇଥିଲେ ।
Comments are closed.