ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ମାମଲା ପ୍ରତ୍ୟାହାର କଲେ ଆବେଦନକାରୀ: ହାଇକୋର୍ଟ ଏହି ମାମଲାରେ ଦେଲେ ପୂର୍ଣ୍ଣଛେଦ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ହାଇକୋର୍ଟରେ ରୁଜୁ ମାମଲାକୁ ଆବେଦନକାରୀ ପ୍ରତ୍ୟାହାର କରି ନେଇଛନ୍ତି। ଏହି ପ୍ରକଳ୍ପ ପାଇଁ କରାଯାଉଥିବା ନିର୍ମାଣକୁ ବିରୋଧ କରି ହାଇକୋର୍ଟରେ ଆବେଦନ ହୋଇଥିବା ଏକାଧିକ ମାମଲା ଗତକାଲି ହାଇକୋର୍ଟଙ୍କ ଦ୍ଵାରା ଖାରଜ ହୋଇ ଯାଇଥିବା ବେଳେ ପ୍ରକଳ୍ପ ସପକ୍ଷରେ ଥିବା ଏହି ମାମଲା ଆଜି ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିଲା। ଜୁନ ୩ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶନାମା ପରେ ହାଇକୋର୍ଟରେ ଏଭଳି ମାମଲାର ଆବଶ୍ୟକତା ନଥିବା ଦର୍ଶାଇ ଆବେଦନକାରୀଙ୍କ ଓକିଲ ଏକ ପିଟିସନ ଦାୟର କରିଥିଲେ। ଏହି ପିଟିସନକୁ ଗ୍ରହଣ କରି ହାଇକୋର୍ଟ ଏହି ମାମଲାରେ ପୂର୍ଣ୍ଣଛେଦ ଦେଇଛନ୍ତି। ରଘୁନାଥ ଗୋଚ୍ଛିକାର ଓ ଅନ୍ୟ ୪ ଜଣ ସେବାୟତଙ୍କ ତରଫରୁ ଦାୟର ମାମଲାରେ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଚାଲିଥିବା ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ପାଇଁ ନିବେଦନ କରାଯାଇଥିଲା। ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ କାର୍ଯ୍ୟ ଶ୍ରୀଘ୍ର ଶେଷ କରାଯିବା ଜନହିତରେ ବୋଲି ଦର୍ଶାଯାଇଥିଲା।

ଏଥି ସହିତ ସୁପ୍ରିମକୋର୍ଟ ଶ୍ରୀଜଗନ୍ନାଥ ମନ୍ଦିର ସଂପର୍କିତ ମାମଲାରେ ପୂର୍ବରୁ ଯେଉଁ ରାୟ ପ୍ରଦାନ କରିଥିଲେ ତାହା କାର୍ଯ୍ୟକାରୀ କରାଯାଉ ବୋଲି ପ୍ରାର୍ଥନା କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଏହି ରାୟରେ ଭକ୍ତଙ୍କ ପାଇଁ କେତକ ମୌଳିକ ସୁବିଧା କରିବା ଉପର ସୁପ୍ରିମକୋର୍ଟ ଗୁରୁତ୍ବାରୋପ କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ପାଶ୍ବବର୍ତ୍ତୀ ସ୍ଥାନରେ ନିର୍ମାଣକାର୍ଯ୍ୟ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ମାମଲାର କେନ୍ଦ୍ର ସରକାର, ରାଜ୍ୟ ସରକାର, ପୁରୀ ଜିଲ୍ଲାପାଳ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ଏଏସଆଇକୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ନିକୁଞ୍ଜ କୁମାର ଦେଓ ମାମଲା ପରିଚାଳନା କରୁଥିଲେ।

Leave A Reply

Your email address will not be published.