ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣେ ବିମାନ ବନ୍ଦରରେ ଅଘଟଣ । ରନୱେରେ ଲଗେଜ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହେଲା ଏୟାର ଇଣ୍ଡିଆ ବିମାନ । ଦୁର୍ଘଟଣା ସମୟରେ ବିମାନରେ ୧୮୦ ଜଣ ଯାତ୍ରୀ ଥିଲେ । ଉକ୍ତ ବିମାନଟି ଦିଲ୍ଲୀ ଅଭିମୁଖେ ଉଡାଣ ଭରୁଥିବା ସମୟରେ ରନୱରେ ଲଗେଜ ଟ୍ରାକ୍ଟର ସହ ଧକ୍କା ହୋଇଥିଲା । ଏହା ଫଳରେ ବିମାନର ସାମ୍ନା ପାଖ ଓ ଅବତରଣ ଗିୟର ପାଖ ଟାୟାର ଫାଟିଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ସମୟରେ ବିମାନରେ ଯାତ୍ରୀମାନେ ଥିଲେ ବି କେହି ଆହତ ହୋଇନଥିବା ସୂଚନା ମିଳିଛି। ଯାହା ସୂଚନା ମିଳିଛି, ଘଟଣାଟି ଗତକାଲି (ଗୁରୁବାର) ଅପରାହ୍ନ ସମୟର ।
ପୁଣେ ବିମାନ ବନ୍ଦରରେ ଏୟାର ଇଣ୍ଡିଆର AI-858 ବିମାନ ଅପରାହ୍ନ ୪ଟାରେ ଦିଲ୍ଲୀ ଅଭିମୁଖେ ଉଡାଣ ଭରିବାକୁ ତୟାର ହେଉଥିଲା । ବିମାନ ରନୱରେ ଆଡକୁ ଯାଉଥିବା ବେଳେ ହଠାତ୍ ଗୋଟିଏ ଲଗେଜ ଟ୍ରାକ୍ଟର ସହ ପିଟି ହୋଇଯାଇଥିଲା । ଏହି ସମୟରେ ବିମାନରେ ପାଖାପାଖି ୧୮୦ ଯାତ୍ରୀ ରହିଥିଲେ । ତେବେ ଏକ ବଡ ଅଘଟଣ ଟଳି ଯାଇଥିଲା । ଟ୍ରାକ୍ଟର ସହ ଧକ୍କା ହେବା ଫଳରେ ବିମାନର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବାବେଳେ କୌଣସି ଯାତ୍ରୀ କିମ୍ବା କ୍ରୁ ଆହତ ହୋଇନାହାନ୍ତି । ଏହି ଦୁର୍ଘଟଣା ପରେ ଯାତ୍ରୀମାନଙ୍କୁ ବିମାନରୁ ବାହାରକୁ ନିଆଯାଇଥିଲା । ପରେ ଆଉ ଏକ ବିମାନରେ ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ନେବାର ବ୍ୟବସ୍ଥା କରାଯାଇଥିଲା ।
ଏବେ ବେସାମରିକ ବିମାନ ଚଳଚଳ ନିର୍ଦ୍ଦେଶାଳୟ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ମିଳିଥିବା ସୂଚନା ମୁତାବକ, ଗୁରୁବାର ଅପରାହ୍ନ ୪ଟାରେ ପୁଣେରୁ ଦିଲ୍ଲୀ ଯବା ପାଇଁ ଯାତ୍ରୀମାନେ ଆସି ଏୟାର ଇଣ୍ଡିଆ ବିମାନ ଏ୧-୮୫୮ରେ ବସିଥିଲେ। ପାର୍କିଂରୁ ବାହାରି ବିମାନଟି ରନୱେ ଆଡକୁ ଯାଉଥିବା ବେଳେ ଲଗେଜ୍ ଟ୍ରାକ୍ଟର ସହ ଧକ୍କା ଖାଇଥିଲା। ଏହି କାରଣରୁ ବିମାନ ଉଡ଼ାଣ ବିଳମ୍ବ ହେବା ସହ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ତଦନ୍ତ ନିର୍ଦ୍ଦେଶ ଦେଇଛି ଡିଜିସିଏ।