ଓଡ଼ିଆ ନ୍ୟୁଜ, ବ୍ୟୁରୋ: ଆପ୍ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ମାମଲା । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର ସ୍ବାତୀଙ୍କୁ ଗୋଇଠା ଓ ଚାପୁଡା ମାରିଥିବା ସେ ଅଭିଯୋଗ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ତାଙ୍କୁ ଅସଦାଚରଣ କରିବା ସହ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ସ୍ୱାତୀ। ଏହାପରେ ଦିଲ୍ଲୀ ଏମ୍ସରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଆଜି ଦିଲ୍ଲୀ ଏମ୍ସରେ ସ୍ୱାତୀ ମାଲୱାଲିଙ୍କର ତିନି ଘଣ୍ଟା ଧରି ଡାକ୍ତରୀ ପରୀକ୍ଷା କରାଯାଇଥିଲା।
ଏହାପରେ ତାଙ୍କ ମୁହଁରେ ଆଘାତ ଲାଗିଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଭବ ସ୍ବାତୀଙ୍କୁ ଚାପୁଡା ମାରିବା ସହ ଠେଲା ପେଲା କରି ଗୋଇଠା ମାରିଥିବା ସେ କହିଛନ୍ତି । ଏହି ଆକ୍ରମଣ ଘଟଣାରେ ଦିଲ୍ଲୀ ପୋଲିସ ଗୁରୁବାର ଦିନ ସିଏମ୍ଙ୍କ ବ୍ୟକ୍ତିଗତ ସଚିବଙ୍କ ନାମରେ ଏକ ମାମଲା ରୁଜୁ କରିଛି । ଆଇପିସିର ଧାରା 354, 506, 509, ଏବଂ 323 ଅନୁଯାୟୀ ଏଫଆଇଆର ପଞ୍ଜୀକୃତ ହୋଇଛି । ଅଭିଯୋଗପତ୍ରରେ ସ୍ୱାତୀ ଉଲ୍ଲେଖ କରିଛନ୍ତି ଯେ, ଗତ ସୋମବାର ସେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନକୁ ଯାଇଥିଲେ।
ଡ୍ରଇଂ ରୁମରେ ଅପେକ୍ଷା କରିଥିବା ବେଳେ ବୈଭବ କୁମାର ସେଠାରେ ପହଞ୍ଚି ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ସେ ପ୍ରତିବାଦ କରିବାରୁ ବୈଭବ ତାଙ୍କୁ ମାଡ଼ ମାରିଥିଲେ। ଏପରିକି ସେ ବାରମ୍ବାର ଚାପୁଡ଼ା, ବିଧା, ଗୋଇଠା ମାରିଥିବା ସ୍ୱାତୀ ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ପୁଲିସ ବୈଭବ କୁମାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ସ୍ୱାତୀଙ୍କ ଡାକ୍ତରୀ ପରୀକ୍ଷା କରାଇଛି। ଗତକାଲି ପୁଲିସ୍ ବୈଭବ କୁମାରଙ୍କୁ ଖୋଜିବାକୁ ତାଙ୍କ ଘରକୁ ଯାଇଥିବା ବେଳେ ତାଙ୍କୁ ପାଇନଥିଲା।