କଳ୍ପନାଠାରୁ ବଡ ଦଣ୍ଡ ଦିଆଯିବ: ପ୍ରଧାନମନ୍ତ୍ରୀ ମୋଦୀ
ଓଡ଼ିଆ ନ୍ୟୁଜ୍: ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କଡ଼ା ଚେତାବନୀ, ଖୋଜି ଖୋଜି ମାରିବୁ। ପଞ୍ଚାୟତରାଜ ଦିବସ ଅବସରରେ ବିହାରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ମୋଦୀ ଆତଙ୍କବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ।
ମୋଦୀ କହିଛନ୍ତି, ସମୟ ଆସିଗଲା ଆତଙ୍କବାଦୀଙ୍କୁ ମାଟିରେ ମିଶାଇବାର । କଳ୍ପନାଠାରୁ ବଡ ଦଣ୍ଡ ଦିଆଯିବ, ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିବୁ।ପହଲଗାମ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ପର୍ଯ୍ୟଟକଙ୍କ ଉପରେ ହୋଇନି, ଆତଙ୍କବାଦୀମାନେ ରାଷ୍ଟ୍ର ମା’ ର ଆତ୍ମା ଉପରେ ଆକ୍ରମଣ କରିବାର ଦୁଃସାହସ କରିଛନ୍ତି । ନିରୀହ ଦେଶବାସୀଙ୍କୁ ନିର୍ଦ୍ଦୟଭାବେ ହତ୍ୟା କରାଯାଇଛି ।
ଯେଉଁଥିପାଇଁ ପୂରା ଦେଶ ବ୍ୟଥିତ । ସମସ୍ତ ପୀଡିତ ପରିବାରଙ୍କ ସହ ପୂରା ଦେଶ ଛିଡା ହୋଇଛି । ଯେଉଁ ଗୁରୁତରଙ୍କ ଚିକିତ୍ସା ଚାଲିଛି ସେମାନେ ଖୁବ୍ ଶୀଘ୍ର ସୁସ୍ଥ ହେବେ ସେନେଇ ସରକାର ଚେଷ୍ଟା ଚଳାଇଛନ୍ତି । 140କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା ଅନୁସାରେ ଆତଙ୍କବାଦୀଙ୍କ ଅଣ୍ଟା ଭଙ୍ଗାଯିବ । ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ ଜାରି ରହିବ ।
ଯେଉଁ ଭୂଖଣ୍ଡକୁ ଆତଙ୍କବାଦୀମାନେ ବ୍ୟବହାର କରୁଛନ୍ତି ତାହାକୁ ଧ୍ୱସ୍ତ କରାଯିବ ବୋଲି କହିଛନ୍ତି ମୋଦୀ । ୨୨ ଏପ୍ରିଲ୍ ରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମ ଥର ମୋଦୀ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ।