ଓଡିଆ ନ୍ୟୁଜ୍(ବ୍ୟୁରୋ): ଢ଼ିଙ୍କିଆରେ ଗତ ୪ମାସ ଧରି ପୋଲିସ୍ ବାହିନୀ ଜରିଆରେ ଜିନ୍ଦଲ ପ୍ରକଳ୍ପ ପାଇଁ ଜୋର୍ ଜବରଦସ୍ତ ଜମି ଅଧିଗ୍ରହଣ କରିବାକୁ ଯାଇ ପ୍ରଶାସନ ଆମାନବୀୟ ଦମନଲୀଳା ଚଳାଇଛି ଓ ଗ୍ରାମକୁ କବଜାକରି ରଖିଛି । ପୋଲିସ୍ ନିର୍ଯ୍ୟାତନା ସଂପର୍କରେ ଏକ ତଦନ୍ତ ପାଇଁ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଓକିଲମାନଙ୍କ ଏକ କମିଟି ଗଠନ କରାଯାଇଥିଲା ଓ ସେହି ୫ଜଣିଆ କମିଟି ଗତ ଫେବୃଆରୀ ୧୯ ରେ ଘଟଣାର ତଦନ୍ତ ତଥା ସାଧାରଣ ଜନତାଙ୍କ ମତାମତ ସଂଗ୍ରହ କରିବାକୁ ଢ଼ିଙ୍କିଆ ଯାଇଥିଲେ। କିନ୍ତୁ ପୋଲିସ ଉପସ୍ଥିତି ତଥା ସହଯୋଗରେ କମ୍ପାନୀ ସମର୍ଥକମାନେ ବିରୋଧୀଙ୍କୁ ମାଡ ମାରି ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବାରୁ ତାହା ବସ୍ତୁତଃ ବିଫଳ ହୋଇଥିଲା।
ଏହି ଘଟଣା ପରେ ଗତ ୨୩ ଫେବୃଆରୀରେ କମିଟିର ସଦସ୍ୟ ମତାମତ ଶୁଣିବା ପରେ ଆସନ୍ତା ୫ ତାରିଖ ଦିନ ବିନା ଭୟ ଓ ହିଂସାରେ ପୋଲିସ ଦମନର ଶିକାର ହୋଇଥିବା ଗ୍ରାମବାସୀମାନେ ସୁରକ୍ଷାର ସହ ତଥା ଭୟ ମୁକ୍ତ ହୋଇ ଯେପରି କମିଟିର ସଭ୍ୟମାନଙ୍କୁ ଭେଟି ପାରିବେ ଓ ସେମାନଙ୍କ ମତାମତ ଦେଇପାରିବେ ତା’ର ସମସ୍ତ ବ୍ୟବସ୍ଥା କରିବା ପାଇଁ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଓ ଏସ୍.ପି ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଗତ ୨୮ ତାରିଖ ସନ୍ଧ୍ୟାରେ ଗ୍ରାମର ୫ଜଣ ମାନସ ବର୍ଦ୍ଧନ,କଇନ ଦାସ, ଶମ୍ଭୁ ମଣ୍ଡଳ,ଲକ୍ଷ୍ମୀଧର ପ୍ରଧାନ ଓ ବାବୁଲି ପାତ୍ରଙ୍କୁ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖି ଧମକ ଓ ନିର୍ଯ୍ୟାତନା ଦେବା ପରେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ମିଛ କେଶ୍ ରେ ଜେଲକୁ ପଠାଇଛି।
ସେମାନଙ୍କ ମଧ୍ୟରୁ ମାନସ ବର୍ଦ୍ଧନ, ଯିଏ ଗତଥର କମିଟି ଆଗରେ ପୋଲିସ ଅତ୍ୟାଚାର ବିରୋଧରେ ଦେଇଥିଲେ, ତାଙ୍କୁ ଗିରଫ୍ କରାଯାଇଛି। ପୋଲିସ ଥାନାରେ ଥାନା ଅଫିସର୍ ଇନଚାର୍ଜ୍ ଜୀବନାନନ୍ଦ ଜେନା ସେମାନଙ୍କୁ ଧମକ ଦେଇଛନ୍ତି । ଆସନ୍ତା ୫ ମାର୍ଚ୍ଚ ଜନଶୁଣାଣୀରେ କେହି ପୋଲିସ ବିରୋଧରେ ନ କହିବା ପାଇଁ ଲୋକମାନଙ୍କୁ ଧମକ ଦିଆଯାଉଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଭଣ୍ଡୁର କରିବା ପାଇଁ ପୋଲିସ ପ୍ରଶାସନର ଏହା ଏକ ହୀନ ଚକ୍ରାନ୍ତ, ଯେପରି ଗାଁ ଛାଡି ରହିଥିବା ପୁରୁଷ ଓ ମହିଳା ଭୟଭୀତ ହୋଇ କମିଟି ନିକଟକୁ ଆସିବେନାହି ଓ ସେମାନଙ୍କର ମତାମତ ଦେଇପାରିବେ ନାହିଁ । ଏପରିକି ଭୋଟ୍ ଗ୍ରହଣ ସମୟରେ ମଧ୍ୟ ଗିରଫ୍ ର ଧମକ ଦେବାରୁ ଅନେକ ସେମାନଙ୍କର ମତ ସାବ୍ୟସ୍ତ କରିପାରି ନଥିଲେ ।
ଆମର ମାନ୍ୟବର ହାଇକୋର୍ଟ ବିଚାରପତି ମାନଙ୍କୁ ନିବେଦନ ଯେ ପୋଲିସର ଏପରି କ୍ଷମତାର ଅପବ୍ୟବହାର ବିରୋଧରେ କାର୍ଯନୁଷ୍ଠାନ ନିଆଯାଉ ଓ ଲୋକଙ୍କୁ ଭୟରୁ ମୁକ୍ତ କରିବାକୁ କମିଟି ଦ୍ଵାରା ଶୁଣାଣି ବେଳେ କେବଳ କମିଟି ସଦସ୍ୟ ମାନଙ୍କ ବ୍ୟତୀତ ମତାମତ ସଂଗ୍ରହ ସମୟରେ ଅନ୍ୟ କାହାରି ଉପସ୍ଥିତି ନରହୁ । ମତାମତ ଦେବାକୁ ଆସିଥିବା ଜନସାଧାରଣ ଓ କମିଟି ସଦସ୍ୟଙ୍କ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଦୂରତା ରହୁ, ଯାହା ଫଳରେ ଜଣକର ମତାମତ ଦେବା ସମୟରେ ଅନ୍ୟମାନେ ସେଠାରେ ବାଧା ଦେବେନାହିଁ କିମ୍ବା ବିଶୃଙ୍ଖଳା ସୃଷ୍ଟି କରିପାରିବେ ନାହିଁ ।
କମିଟି ସଦସ୍ୟ ମାନଙ୍କ ନିକଟରେ ଏସ୍.ପି, ଜିଲ୍ଲାପାଳ କିମ୍ବା ପୋଲିସ୍ ଅଧିକାରୀ ରହିଲେ ଲୋକମାନେ ଭୟମୁକ୍ତ ଭାବେ ନିଜର ମତ ଦେଇପାରିବେ ନାହିଁ ।
ଢ଼ିଙ୍କିଆର ପ୍ରକଳ୍ପ ବିରୋଧୀ ତଥା ପୋଲିସ ଦମନ ର ଶିକାର ହୋଇଥିବା ଗ୍ରାମବାସୀଙ୍କୁ ଆହ୍ବାନ କରି ସେମାନେ ନିର୍ଭୀକ ହୋଇ କୋର୍ଟ ଉପରେ ଆସ୍ଥା ରଖି କମିଟି ସମ୍ମୁଖରେ ସତ୍ୟ ପ୍ରକାଶ କରିବାକୁ ଲୋକ ଶକ୍ତି ଅଭିଯାନ ର ସଭାପତି ପ୍ରଫୁଲ୍ଲ ସାମନ୍ତରା ଓ ଇନସାଫ୍ ତଥା ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ଲୋହିଆ ଏକାଡେମୀର ଦେବପ୍ରସାଦ ରାୟ ମହାପାତ୍ର ଓ ଆଇନଜୀବୀ ନିରଞ୍ଜନ ମହାନ୍ତି ଏହି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି।
ଗତ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ସର୍ବତ୍ର ଶାସକ ଦଳର ପ୍ରାର୍ଥୀମାନେ ବିଜୟ ହାସଲ ବେଳେ ଢ଼ିଙ୍କିଆ ଚାରିଦେଶରେ ପୋଲିସ୍ ପ୍ରଶାସନର ଦମନ ସତ୍ତ୍ୱେ କମ୍ପାନୀ ସମର୍ଥକ ତଥା ରାଜ୍ୟ ଶାସକ ଦଳର ସମିତି ସଭ୍ୟ ,ସରପଞ୍ଚ ଓ ଜିଲ୍ଲାପରିଷଦ ପ୍ରାର୍ଥୀମାନେ ପରାଜିତ ହୋଇଛନ୍ତି। ଏହା ଦର୍ଶାଉଛି ପୋଲିସ ଦମନ ସତ୍ତ୍ୱେ ଲୋକେ କମ୍ପାନୀ ବିରୋଧରେ ମତପ୍ରକାଶ କରିଛନ୍ତି।ଆମେ ସେହି ଭୋଟ ଦାତା ମାନଙ୍କୁ ଧନ୍ୟବାଦ୍ ଜଣାଉଛୁ।