ଆଳୁ ଦର ଆକାଶ ଛୁଆଁ; ଆଳୁ ଗାଡ଼ି ଛାଡ଼ୁନି ପଶ୍ଚିମବଙ୍ଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗତ କିଛି ଦିନ ଧରି ପରିବା ଦର କଲବଲ କରୁଥିବା ବେଳେ ଏବେ ରାଜ୍ୟବାସୀଙ୍କୁ ଟେନସନ୍‌ ଦେଲାଣି ଆଳୁ। ଆଳୁ ଦରରେ ଲାଗିଛି ନିଆଁ । ହୁହୁ ହୋଇ ବଢ଼ି ଚାଲିଛି ଦର। ଆଳୁ ଦର ଏବେ ହାଫ ସେଞ୍ଚରୀ ପାର୍‌ କରି ସାରିଲାଣି। ଅର୍ଥାତ କିଲୋ ପିଛା ଦାମ ୫୦ ଛୁଇଁଲାଣି। ଏନେଇ ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଇଗିଣିଆ ସ୍ଥିତ ଆଳୁ ଗୋଦାମରେ ସ୍ଥିତି ପରଖିଛନ୍ତି । ଏହାସହିତ ଆଳୁ ବ୍ୟବସାୟୀଙ୍କୁ ଭେଟିବା ସହ କଳାବଜାରିର ତଦାରଖ କରିଛନ୍ତି ମନ୍ତ୍ରୀ । ଏନେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଆଳୁ ରହିଛି । ହେଲେ କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ଏଭଳି ପରିସ୍ଥିତି ଦେଖାଦେଇଛି ।

ଯେତିକି ଆଳୁ ଅଛି ଆହୁରି ୭ରୁ ୮ ଦିନ ଚାଲିବ । ଏହାପରେ ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ଯୋଜନା କରାଯାଉଛି । ଗତ ୫ ଦିନ ଧରି କଟକ ଛତ୍ର ବଜାରକୁ ଆଳୁ ଟ୍ରକ୍ ଆସିନି। ପ୍ରତିଦିନ କଟକ ଛତ୍ରବଜାରରୁ ୮ରୁ ୯ ଟ୍ରକ୍‌ ଆଳୁ ଆସିଥାଏ। ଆଜି ଗୋଟିଏ ଟ୍ରକ୍‌ ଆସିଛି। ଫଳରେ ଆଳୁ ନେବାକୁ ଛତ୍ରବଜାରରେ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ଭିଡ଼ ସାଙ୍ଗକଚ ଛକାପଞ୍ଝା ଦେଖିବାକୁ ମିଳିଥିଲା। କିଛି ଦିନ ପୂର୍ବେ କିଲୋ ପିଛା ୩୫ ଟଙ୍କାରେ ମିଳୁଥିବା ବେଳେ ଏବେ ତାହା ୫୦ ଟଙ୍କାରେ ପହଞ୍ଚିଛି। ଛତ୍ରବଜାରରେ ଆଳୁ କିଲୋ ପିଛା ୫୦ ଟଙ୍କା ଥିବା ବେଳେ ଖୁଚୁରା ମାର୍କେଟରେ ତାହା ୬୦ ଟଙ୍କାରେ ବିକ୍ରି ହେଉଥିବା କହିଛନ୍ତି ବ୍ୟବସାୟୀ।  ଆଳୁର ଏ ଅହେତୁକ ଦର ବୃଦ୍ଧି ପରେ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱର ଆଇଗିଣିଆ ଆଳୁ ଗୋଦାମକୁ ଯାଇ ସ୍ଥିତି ଯାଞ୍ଚ୍ କରିଛନ୍ତି।

ମନ୍ତ୍ରୀ କହିଛନ୍ତି, ଏବେ ଯେତିକି ଆଳୁ ମହଜୁଦ ଅଛି, ତାହା ସାତ ଦିନ ଯାଏଁ ରାଜ୍ୟରେ ଆଳୁ ଚାହିଦାକୁ ପୂରଣ କରିପାରିବ। ଆବଶ୍ୟକ ପଡ଼ିଲେ ଉତ୍ତରପ୍ରଦେଶରୁ ଆମଦାନୀ କରାଯିବ । ଅପରପକ୍ଷେ, ଓଡ଼ିଶାକୁ ଆଳୁ ଦେବାକୁ ବାରଣ କରିଛନ୍ତି ପଶ୍ଚିବଙ୍ଗ ସରକାର। ଆଳୁ ଟ୍ରକକୁ ସୀମା ପାର କରାଇ ଦେଉନି ପଶ୍ଚିମବଙ୍ଗ ପୁଲିସ। ପଶ୍ଚିମଙ୍ଗରେ ଏଥର ଆଳୁ ଉତ୍ପାଦନ ଆବଶ୍ୟକ ମୁତାବକ ହୋଇ ନ ଥିବା ବେଳେ ନିଜ ଆବଶ୍ୟକତା ମେଣ୍ଟାଇବାକୁ ଆଳୁ ବାହାରକୁ ଛାଡ଼ୁ ନାହାନ୍ତି ସେଠାକାର ସରକାର।

Leave A Reply

Your email address will not be published.