ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପାକିସ୍ତାନର ମୁଦ୍ରାସ୍ଫୀତି ଏବଂ ଦାରିଦ୍ର୍ୟତା ହାର ନୈରାଶ୍ୟଜନକ ସ୍ଥିତି ପାଇଁ ଏବେ ସାଧାରଣ ଲୋକ ବହୁତ କଷ୍ଟରେ ଜୀବନ ବିତାଉଛନ୍ତି । କରଜରେ ବୁଡି ରହିଥିବା ସରକାର ପାଖରେ ଅନ୍ୟ ଦେଶ ଆଗରେ ହାତ ପତେଇବା ବ୍ୟତୀତ କୌଣସି ବିକଳ୍ପ ନାହିଁ । କିଛି ରିପୋର୍ଟରେ କୁହାଯାଇଛି ଯେ ଆଇଏମଏଫରୁ ଋଣ ପାଇବା ପରେ ପାକିସ୍ତାନର ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ । ବାସ୍ତବରେ ଏହା ନୁହେଁ, ପାକିସ୍ତାନରେ ଦାରିଦ୍ର୍ୟ ୩୯.୪ ପ୍ରତିଶତକୁ ବୃଦ୍ଧି ପାଇଛି । ବିଶ୍ବ ବ୍ୟାଙ୍କ କହିଛି ଯେ, ଗତ ଆର୍ଥିକ ବର୍ଷରେ ପାକିସ୍ତାନରେ ଦାରିଦ୍ର୍ୟ ୩୯.୪ ପ୍ରତିଶତକୁ ବୃଦ୍ଧି ପାଇଛି । ଖରାପ ଅର୍ଥନୈତିକ ଅବସ୍ଥା ହେତୁ ୧.୨୫ କୋଟିରୁ ଅଧିକ ଲୋକ ଏହାର ଶିକାର ହୋଇଛନ୍ତି ଏବଂ ଆର୍ଥିକ ସ୍ଥିରତା ଆଣିବା ପାଇଁ ଦେଶକୁ ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିପାରେ । ଏକ୍ସପ୍ରେସ ଟ୍ରିବ୍ୟୁନ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୱାଶିଂଟନ୍ ଭିତ୍ତିକ ଋଣଦାତା ଶୁକ୍ରବାର ଦିନ ଏକ ଡ୍ରାଫ୍ଟ ପଲିସି ଉନ୍ମୋଚନ କରିଛି । ସମସ୍ତ ହିତାଧିକାରୀଙ୍କ ସହାୟତାରେ ଏହା ପାକିସ୍ତାନର ପରବର୍ତ୍ତୀ ସରକାର ପାଇଁ ପ୍ରସ୍ତୁତ ହୋଇଛି ।
ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ପାକିସ୍ତାନରେ ଦାରିଦ୍ର୍ୟ ଏକ ବର୍ଷ ମଧ୍ୟରେ ୩୪.୨ ପ୍ରତିଶତରୁ ୩୯.୪ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ସହିତ ୧.୨୫ କୋଟିରୁ ଅଧିକ ଲୋକ ଦାରିଦ୍ର ସୀମାରେଖା ତଳେ ଆସିଛନ୍ତି । ପାକିସ୍ତାନରେ ଦୈନିକ ୩.୬୫ ଆମେରିକୀୟ ଡଲାରର ଆୟ ସ୍ତର ଦାରିଦ୍ର ସୀମାରେଖା ଭାବରେ ବିବେଚନା କରାଯାଏ । ବର୍ତ୍ତମାନ ଡ୍ରାଫ୍ଟରେ କୁହାଯାଇଛି ଯେ ବର୍ତ୍ତମାନ ପ୍ରାୟ ୯.୫ କୋଟି ପାକିସ୍ତାନୀ ଦାରିଦ୍ରରେ ଜୀବନ ବିତାଉଛନ୍ତି । ପାକିସ୍ତାନ ପାଇଁ ବିଶ୍ୱ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଟୋବିୟାସ ହକ କହିଛନ୍ତି ଯେ ପାକିସ୍ତାନର ଅର୍ଥନୈତିକ ମଡେଲ ଆଉ ଦାରିଦ୍ର୍ୟ ହ୍ରାସ କରୁନାହିଁ ଏବଂ ସାଥୀ ଦେଶ ତୁଳନାରେ ଏଠାରେ ଜୀବନଧାରଣ ହ୍ରାସ ପାଉଛି ।