ଥମୁନି କାଷ୍ଟିଂ କାଉଚ୍‌ ବିବାଦ, ସଞ୍ଜୟ ନାୟକଙ୍କ ନାଁରେ ଏତଲା ଦେଲେ ପ୍ରକୃତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କିଏ କହୁଛି ସତ ? ପ୍ରକୃତି ମିଶ୍ର ନା ସଞ୍ଜୟ ନାୟକ? ବଢୁଛି କାଷ୍ଟିଂ କାଉଚ ଅଭିଯୋଗ କଳି। ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ପ୍ରଯୋଜକ ସଞ୍ଜୟ ନାୟକ ମଧ୍ୟରେ ତୁତୁ ମେମେ ଜାରି। ଜଣେ ପରେ ଜଣେ ଅଭିନେତ୍ରୀ ସଞ୍ଜୟଙ୍କ ନାଁରେ ଆଣୁଛନ୍ତି ସାଙ୍ଘାତିକ ଅଭିଯୋଗ । ଆଉ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଞ୍ଜୟ। ବିନା ତଥ୍ୟ ପ୍ରମାଣ ଆଧାରରେ ତାଙ୍କୁ ବଦନାମ କରାଯାଉଥିବା ପାଲଟା ଅଭିଯୋଗ ଆଣିଛନ୍ତି ସଞ୍ଜୟ। ଆଉ ଉତ୍କଳ ଫିଲ୍ମ ପ୍ରଡ୍ୟୁସର ଆସୋସିଏସନର ନିର୍ବାଚନ ବିବାଦରୁ ଏହି ପ୍ରସଙ୍ଗକୁ ତିଆରି କରାଯାଇଥିବା କହିଛନ୍ତି।

ଗତ ତିରିଶ ବର୍ଷ ଧରି ଉତ୍କଳ ଫିଲ୍ମ ପ୍ରଡ୍ୟୁସର ଆସୋସିଏସନର ନିର୍ବାଚନ ହେଉନଥିଲା। ଏହାକୁ ନେଇ ଭୁବନେଶ୍ଵରର କିଛି ପ୍ରଯୋଜକ ଆପତ୍ତି ଉଠାଇଥିଲେ। ନିର୍ବାଚନରେ ଏକପାଖିଆ ନିଷ୍ପତ୍ତି ନେଇ ଆଇନର ଆଶ୍ରୟ ନେଇଛନ୍ତି । ଯେହେତୁ ସଞ୍ଜୟ ଏହି ଗ୍ରୁପକୁ ଲିଡ କରିଥିଲେ, କିଛି ଅସହିଷ୍ଣୁ ହୋଇ ତାଙ୍କ ପଛରେ ପଡ଼ିଥିଲେ। ପ୍ରକୃତି ସେମାନଙ୍କ ପ୍ରରୋଚନାରେ ପଡ଼ି ଏଭଳି କରିଛନ୍ତି। ଯଦି ତାଙ୍କ ପାଖରେ କିଛି ପ୍ରମାଣ ରହିଛି ସାମ୍ନାକୁ ଆଣନ୍ତୁ ବୋଲି ସଞ୍ଜୟ ନାୟକ ଦାବି କରିଛନ୍ତି ।

ଏପଟେ ଓଲିଉଡରେ ଲମ୍ବୁଛି କାଷ୍ଟିଂକାଉଚର ଚେର । ଜଣକ ପରେ ଜଣେ ଅଭିନେତ୍ରୀ ମୁହଁ ଖୋଲୁଛନ୍ତି । ଖୁବଶୀଘ୍ର ଆଇନର ଆଶ୍ରୟ ନେଇପାରନ୍ତି ତିନି ଅଭିନେତ୍ରୀ । ସେମାନଙ୍କ ପାଖରେ ସମସ୍ତ ତଥ୍ୟ ପ୍ରମାଣ ଥିବା ଦାବି କରିଛନ୍ତି ପ୍ରକୃତି ଓ ଜସ୍ମିନ । ତଥ୍ୟ ପ୍ରମାଣକୁ ଖୁବଶୀଘ୍ର ପୋଲିସକୁ ଦେବେ । ସେପଟେ ସଞ୍ଜୟଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜସ୍ମିନ । ସଞ୍ଜୟ ତାଙ୍କୁ ହୋଟେଲକୁ ଡାକିଥିଲେ । ହୋଟେଲକୁ ନଯିବାରୁ ଫିଲ୍ମରେ ଅଭିନୟ ପାଇଁ ସୁଯୋଗ ଦେଇନଥିବା ଜସ୍ମିନ ଅଭିଯୋଗ କରିଛନ୍ତି । ସଞ୍ଜୟ-ପ୍ରକୃତି କଳି ଆଗକୁ କେଉଁ ମୋଡ଼ ନେଉଛି । ପ୍ରକୃତି ଆଣିଥିବ କାଷ୍ଟିଂ କାଉଚ ଅଭିଯୋଗ ପଛରେ କେତେ ସତ୍ୟାସତ୍ୟ ରହିଛି ତା ଉପରେ ଏବେ ସମସ୍ତଙ୍କ ନଜର ।

 ବଢିଲା ପ୍ରକୃତି ଓ ସଞ୍ଜୟ ବିବାଦ । ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ପ୍ରଯୋଜକ ସଞ୍ଜୟ ନାୟକଙ୍କ ନାଁରେ ଏତଲା ଦେଇଛନ୍ତି । ମୁମ୍ବାଇର ଦାଦାଭାଇ ନାରୋଜି ନଗର ଥାନାରେ ଏତଲା ପରେ ମାମଲା ରୁଜୁ ହୋଇଛି । ପ୍ରକୃତିଙ୍କ ଅଭିଯୋଗ ଆଧାରରେ ମାମଲା କରିଛି ମୁମ୍ବାଇର ଦାଦାଭାଇ ନାରୋଜି ନଗର ଥାନା ।

ଆଇପିସିର ଧାରା ୫୦୦ରେ ସମ୍ମାନହାନୀ, ୫୦୪ ଜାଣିଶୁଣି ସମ୍ମାନହାନୀ ପାଇଁ ଉସୁକାଇକା ଓ ୫୦୬ ଧାରାରେ ରୁଜୁ ହୋଇଛି ମାମଲା । ନିକଟରେ ସଞ୍ଜୟ ନାୟକଙ୍କ ବିରୋଧରେ କାଷ୍ଟିଂ କାଉଚ୍‌ ନେଇ ସାଂଘାତିକ ଅଭିଯୋଗ କରିଥିଲେ ପ୍ରକୃତି ମିଶ୍ର । ଏହାପରେ ପ୍ରକୃତିଙ୍କୁ କଡ଼ା ଜବାବ ଦେଇଥିଲେ ସଞ୍ଜୟ ନାୟକ । ଆରୋପ ପ୍ରତ୍ୟାରୋପ ଭିତରେ ଥାନାରେ ପହଞ୍ଚିଛି ବିବାଦ । ଆଗକୁ ସଞ୍ଜୟ ଓ ପ୍ରକୃତି ବିବାଦ କି ମୋଡ଼ ନେଉଛି ତାଉପରେ ନଜର । ମାମଲା ରୁଜୁ ପରେ ସଞ୍ଜୟ ନାୟକଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

Leave A Reply

Your email address will not be published.