ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅନ୍ତରୀଣ ଜାମିନ ଅବଧି ଆଉ ୭ ଦିନ ବୃଦ୍ଧି ପାଇଛି। ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ନେଇ ହାଇକୋର୍ଟ ଗତକାଲି ନିର୍ଦ୍ଦେଶନାମା ଦେଇଛନ୍ତି। ପୂର୍ବରୁ ଏପ୍ରିଲ ୨୨ରେ ହାଇକୋର୍ଟ ମାମଲାର ଶୁଣାଣି କରି ପ୍ରଶାନ୍ତ ଜଗଦ୍ଦେବଙ୍କୁ ୭ ଦିନ ଅନ୍ତରୀଣ ଜାମିନ ମଞ୍ଜୁର କରିଥିଲେ। ସର୍ତ୍ତ ପୂରଣ ପରେ ତାଙ୍କୁ ନିମ୍ନ ଅଦାଲତ ଜାମିନରେ ଛାଡିଥିଲେ।
ପରବର୍ତ୍ତୀ ସମୟରେ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ପାଇଁ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ମଧ୍ୟବର୍ତ୍ତିକାଳନୀ ଆବେଦନ କରିଥିଲେ। ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଥି ପାଇଁ ଅନୁମତି ଦେବା ସହିତ ଶ୍ରୀ ଜଗଦ୍ଦେବଙ୍କ ଅନ୍ତରୀଣ ଜାମିନ ଅବଧି ୭ ଦିନ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଶ୍ରୀ ଜଗଦ୍ଦେବଙ୍କ ନିୟମିତ ଜାମିନ ଆବେଦନର ମେ ୧୦କୁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଅନ୍ତରୀଣ ଜାମିନ ଅବଧି ଶେଷ ହେବା ପରେ ଶ୍ରୀ ଜଗଦ୍ଦେବ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବେ ଓ ଏ ସଂପର୍କିତ ସାର୍ଟିଫିକେଟ ହାଇକୋର୍ଟରେ ଦାଖଲ କରାଯିବ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଯେ ବିଜେପି କର୍ମୀଙ୍କ ସମେତ ସାଧାରଣ ଲୋକଙ୍କ ଉପରେ ଗାଡି ଚଢାଇ ଦେବା ଅଭିଯୋଗରେ ଶ୍ରୀ ଜଗଦ୍ଦେବଙ୍କୁ ବାଣପୁର ପୁଲିସ ଗିରଫ କରିଥିଲା।