ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚଳଚ୍ଚିତ୍ର “ଟି” ର ପ୍ରିମିଅର ଶୋ’ ଭୁବନେଶ୍ୱର ସ୍ଥିତ ମହାରାଜା ପ୍ରେକ୍ଷାଳୟ ରେ ହୋଇଯାଇଛି l ଏହି ଅବସରରେ ଚଳଚ୍ଚିତ୍ର ର ପ୍ରଯୋଜକ ତଥା ନିର୍ଦ୍ଦେଶକ ଜିତେଶ କୁମାର ପରିଡା, ଅଭିନେତା ଦେବାଶିଷ, ରଣବୀର କଲସି, ହର ରଥ, ପ୍ରସନ୍ନଜିତ ଅଭିନେତ୍ରୀ ଉଷସୀ ମିଶ୍ର ଙ୍କ ସମେତ ଚଳଚ୍ଚିତ୍ର ଜଗତର ନାମୀ ନିର୍ଦ୍ଦେଶକ ତଥା ପ୍ରଯୋଜକ ସବ୍ୟସାଚୀ ମହାପାତ୍ର, ପ୍ରଣବ ଦାସ, ରାଜୀବ ମହାନ୍ତି, ବିଭୁ ପ୍ରସାଦ ରଥ, ଚିତ୍ତରଞ୍ଜନ ନାୟକ ପ୍ରମୁଖ ହଲ୍ ରେ ବସି ପ୍ରାୟ ଏକ ଘଣ୍ଟା ଚାଳିଶ ମିନିଟ ର ଚଳଚ୍ଚିତ୍ର “ଟି” କୁ ଦେଖିଥିଲେ ଏବଂ ଖୁବ ସୁନ୍ଦର ପରିକଳ୍ପନା ସହିତ ନିର୍ଦ୍ଦେଶକ ଙ୍କର ଏହା ଏକ ଦୁଃସାହସିକ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ l
କିନ୍ନର ମାନଙ୍କ ଜୀବନୀକୁ ଲକ୍ଷ୍ୟ କରି ଦୀର୍ଘ ବର୍ଷର ଗବେଷଣା କୁ ନେଇ ନିର୍ଦ୍ଦେଶକ ଜିତେଶ ଖୁବ ସୁନ୍ଦର ଚିତ୍ରଣ କରିଛନ୍ତି l ଠିକ ସେମିତି ଅଭିନେତା ଦେବାଶିଷ, ରଣବୀର ମଧ୍ୟ କିନ୍ନର ଚରିତ୍ର ରେ ଖୁବ ନିଖୁଣ ଭାବେ ଅଭିନୟ କରିଛନ୍ତି l ଚଳଚ୍ଚିତ୍ର ରେ ସମୁଦାୟ ଦୁଇଟି ଗୀତ ରହିଛି l ଗୋଟିଏ ଗୀତ ସମଗ୍ର କିନ୍ନର ସମାଜର ଏକ ଭିନ୍ନ ପ୍ରଥା କୁ ନେଇ ପ୍ରସ୍ତୁତ ହୋଇଛି l ଯାହାକୁ ଜଲସା ଗୀତ କୁହାଯାଉଛି ଏବଂ ସେଇ ଜଲସା ଗୀତ କୁ ରଚନା କରିଛନ୍ତି ବର୍ତ୍ତମାନର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ସ୍ୱରରେ ସଜାଇଛନ୍ତି ମୁମ୍ବାଇ ର ସଙ୍ଗୀତ ନିର୍ଦ୍ଦେଶକ ତୁହିନ କେ. ବିଶ୍ୱାସ ଏବଂ କଣ୍ଠଦାନ କରିଛନ୍ତି ଗୌରବ ଆନନ୍ଦ l ଫିଲ୍ମ ର ଡିଓପି ସର୍ବେଶ୍ୱର ଦାଶ, ସମ୍ପାଦକ ଅମରଜିତ ଓଝା ଏବଂ ଡିଆଇ ଦାୟିତ୍ୱ ରେ ଅଧିକାରୀ ସାହୁ ରହିଛନ୍ତି l “ଆକାଶେ ନୂଆ ରଙ୍ଗ ଭରିଛି”…. ଜଲସା ଗୀତ ଟି ବେଶ ମନଛୁଆଁ ହୋଇଛି l
ଓଡ଼ିଆ ଚଳଚ୍ଚିତ୍ର ‘ଟି’ କୁ ୟୁ/ଏ ସାର୍ଟିଫିକେଟ ମିଳିଛି ତେଣୁ ସପରିବାର ଚଳଚ୍ଚିତ୍ର ଟିକୁ ଦେଖିପାରିବେ ବୋଲି ପ୍ରଯୋଜକ ତଥା ନିର୍ଦ୍ଦେଶକ ଘୋଷଣା କରିଥିଲେ l
ସୂଚନାଯୋଗ୍ୟ ଯେ ; ପାନୋରମା ମ୍ୟୁଜିକ ଏବଂ ସ୍ଟୁଡ଼ିଓ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର “ଟି” ସହିତ ମିଳିତ ଭାବରେ ପ୍ରଚାର ପ୍ରସାର କରୁଛନ୍ତି l ଯେଉଁଥିରେ କି ଟିଜର, ଟ୍ରେଲର ଏବଂ ଫିଲ୍ମ ର ଗୀତ ଗୁଡିକ ଦେଖିବାକୁ ପାଇବେ l
ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ଉଚ୍ଚ ପ୍ରଶଂସା ସହିତ ଅନେକ ସାର୍ଟିଫିକେଟ ହାତେଇଥିବା ଚଳଚ୍ଚିତ୍ର ‘ଟି’ l ଟ୍ରାନ୍ସଜେଣ୍ଡର ଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାର ପରିକଳ୍ପନା ସତରେ ବେଶ ସ୍ବାଗତଯୋଗ୍ୟ l ପୂର୍ବରୁ ଓଲିଉଡ଼ର ବିଭିନ୍ନ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଦେବାଶିଷ ସାହୁ (ଦେବ୍) ମେଘନା ସାହୁ ଚରିତ୍ରରେ ନଜର ଆସୁଛନ୍ତି l ତାଙ୍କ ବ୍ୟତୀତ ଉଷସୀ ମିଶ୍ର, ହର ରଥ, ରଣବୀର କଲସି ଓ ପ୍ରସନ୍ନଜିତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି l ସମାଜ ପାଇଁ ଅନେକ ଶିକ୍ଷଣୀୟ ବାର୍ତ୍ତା ବହନ କରୁଛି ଚଳଚ୍ଚିତ୍ର “ଟି” l ତେଣୁ ସମସ୍ତ ସିନେପ୍ରେମୀ ଚଳଚ୍ଚିତ୍ର ‘ଟି’ କୁ ଦେଖିବା ଉଚିତ ବୋଲି ଚଳଚ୍ଚିତ୍ରର ପ୍ରଚାର ପ୍ରସାର ଦାୟିତ୍ୱ ରେ ଥିବା ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ କହିଛନ୍ତି l
ଜିତେଶ କୁମାର ଫିଲ୍ମଜ ଓ ଆର ଆର ମୋସନ ପିକ୍ଚର୍ସ ର ପ୍ରଯୋଜନା ତଥା ବିଘ୍ନହର୍ତ୍ତା ମୁଭିଜ, ମୋହିତ କୁମାର ପୁରୀ, ହିମାଦ୍ରି ତନୟ ଦାସ ସହ ପ୍ରଯୋଜନା ଏବଂ ଥମ୍ରିତା ମୋହନ ଶମ୍ଭୁତି, ସୋମା କିରଣ ଜେନା, ରାଜଶ୍ରୀ ମହାପାତ୍ରଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ଟି’ l