IIM ନାଗପୁରର ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପଣ କଲେ ମହାମହିମ ରାଷ୍ଟ୍ରପତି: ଛାତ୍ରଛାତ୍ରୀଙ୍କୁ ଦେଲେ ଉଦ୍‌ବୋଧନ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଶିକ୍ଷାନୁଷ୍ଠାନ ଗୁଡ଼ିକ କେବଳ ଶିକ୍ଷା ଗ୍ରହଣ କରିବାର ସ୍ଥାନ ନୁହେଁ ବରଂ ଏହା ହେଉଛି ସେହି ସ୍ଥାନ ଯାହା ଆମ ଭିତରର ଲୁକ୍କାୟିତ ପ୍ରତିଭାକୁ ମାର୍ଜିତ କରିଥାଏ । ରବିବାର ଆଇଆଇଏମ ନାଗପୁରର ନୂତନ ସ୍ଥାୟୀ କ୍ୟାମ୍ପସକୁ ଆନୁଷ୍ଠାନିକ ଭାବରେ ଲୋକାର୍ପଣ କରିବା ଅବସରରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ।

ରାଷ୍ଟ୍ରପତି କହିଛନ୍ତି, ଆମେ ଏପରି ଏକ ଯୁଗରେ ଅଛୁ ଯେଉଁଠି ନବସୃଜନ ଓ ଉଦ୍ୟମିତାକୁ ପ୍ରଂଶସା କରାଯିବା ସହ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି । ନବସୃଜନ ଓ ଉଦ୍ୟମିତା ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଆମ ଜୀବନ ପଥକୁ ସୁଗମ କରିବା ସହ ଅନେକ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବାର ସୁଯୋଗ ଦେଉଅଛି । ଆଇଆଇଏମ ନାଗପୁରର ଛାତ୍ରଛାତ୍ରୀଙ୍କ ପାଇଁ କେବଳ ନିଯୁକ୍ତି ଅନ୍ୱେଷଣ କରିବା ପାଇଁ ନୁହେଁ ବରଂ ନିଯୁକ୍ତିଦାତା ହେବା ପାଇଁ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜାଗ୍ରତ କରିବ ବୋଲି ଶ୍ରୀ କୋବିନ୍ଦ ମତପ୍ରକାଶ କରିଛନ୍ତି ।

iim

ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଶିକ୍ଷା ହେଉଛି ସଶକ୍ତିକରଣର ମାଧ୍ୟମ । ବିଦ୍ୟା ଅନ୍ଧକାରରୁ ଆଲୋକ ପ୍ରଦାନ କରେ । ସେହିପରି ଜ୍ଞାନ ଏବଂ ଶିକ୍ଷା ଦାରିଦ୍ୟରୁ ସମ୍ପନ୍ନତା ତଥା ଲୋକ କଲ୍ୟାଣର ମୂଳ ଚାବିକାଠି ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଭାରତ ଠାରୁ ଅନେକ ଆଶା ରଖୁଛି । ଆଇଆଇଏମ, ନାଗପୁର ଭାରତକୁ ଶିକ୍ଷା ଅର୍ଥନୀତିରେ ବିକଶିତ କରିବାରେ ନେତୃତ୍ୱ ନେବ । ଏହା ପ୍ରଗତିଶୀଳ ଅର୍ଥନୀତି ଓ ବିଶ୍ୱ ସମେତ ଭାରତରୁ ମଧ୍ୟ ନେତୃତ୍ୱ କରିବ । ରାଷ୍ଟ୍ରୀୟ ଶିକ୍ଷା ନୀତି(ଏନଇପି)କୁ ଆଦର୍ଶ କରି ଆଇଆଇଏମ ନାଗପୁର ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ପାଇଁ ନୂଆ ଗତିପଥ ପ୍ରସ୍ତୁତ କରିବ ଏବଂ ଏକବିଂଶ ଶତାବ୍ଦୀରେ ଭାରତକୁ ନିଯୁକ୍ତିଦାତା ଭାବରେ ସ୍ଥାପନ କରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆଇଆଇମ, ନାଗପୁରର ଛାତ୍ରଛାତ୍ରୀମାନେ କିଛି ଦାୟିତ୍ୱ ନେଇ ଉତ୍ସାହର ସହ ସମାଜକୁ କିଛି ଦେବାର ନୂଆ ପ୍ରଥା ଆରମ୍ଭ କରନ୍ତୁ । ଆମର ସେବା ପରମ୍ପରାକୁ ଆଗେଇ ନେଇ ଜିଲ୍ଲାରେ ଥିବା ସ୍କୁଲ, କଲେଜକୁ ପୋଷ୍ୟ ଭାବେ ଗ୍ରହଣ କରି ଏହି ସବୁ ଶିକ୍ଷାନୁଷ୍ଠାନକୁ ବିକଶିତ କରିବାର ଦାୟିତ୍ୱ ନିଅନ୍ତୁ । ସ୍ଥାନୀୟ ଅଂଚଳର ଜନଜାତି, ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ପ୍ରେରଣାର ନୂଆ ସ୍ରୋତ ଭାବରେ ଆଗେଇ ଆସିବାକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶିଆରୀ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ, ମହାରାଷ୍ଟ୍ର ଶିଳ୍ପ, ଖଣି ମନ୍ତ୍ରୀ ଶ୍ରୀ ସୁବାଷ ଦେଶାଇ, ମହାରାଷ୍ଟ୍ର ଉର୍ଜା ମନ୍ତ୍ରୀ ଶ୍ରୀ ନୀତିନ ରାଉତ, ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳର ନେତା ଶ୍ରୀ ଦେବେନ୍ଦ୍ର ଫଡ଼ନାବୀସ୍‌, ସାଂସଦ ଶ୍ରୀ ବିକାଶ ମାହାତ୍ମେ, ଶ୍ରୀ କୃପାଳ ତୁମାଣେ, ଆଇଆଇଏମ ନାଗପୁରର ବୋର୍ଡ ଅଫ୍ ଗଭର୍ଣ୍ଣରର ଚେୟାରମ୍ୟାନ ଶ୍ରୀ ସି.ପି ଗୁରଣାନୀ, ଆଇଆଇଏମ ନାଗପୁରର ନିର୍ଦ୍ଦେଶକ ଶ୍ରୀ ଭୀମରୟା ମେତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.