ପୁରୀ: ବଳଗଣ୍ଡି ଛକରୁ କାର୍ରୁ ଓହ୍ଲାଇ ବଡ଼ଦାଣ୍ଡରେ ଚାଲି ଚାଲି ଯାଇ ଜଗା ଦର୍ଶନ କଲେ ରାଷ୍ଟ୍ରପତି, ଗଜପତିଙ୍କ ସହ କଲେ ମହାପ୍ରସାଦ ସେବନ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ମହାମହିମ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱରରୁ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି । ତାଳବଣିଆ ହେଲିପ୍ୟାଡ୍ରୁ କଡ଼ା ସୁରକ୍ଷା ଭିତରେ ସେ ସିଂହଦ୍ୱାର ଅଭିମୁଖେ ଯାଇଥିଲେ । ବଳଗଣ୍ଡି ଛକରେ କାର୍ରୁ ଓହ୍ଲାଇ ବଡ଼ଦାଣ୍ଡରେ ଚାଲିଥିଲେ ରାଷ୍ଟ୍ରପତି । ପ୍ରାୟ ୨କିମି ବାଟ ଚାଲି ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ। ତାଙ୍କୁ ଦେଖିବାକୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଲୋକ, ସ୍କୁଲ ପିଲା ଅପେକ୍ଷା କରିଥିଲେ । ସେମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ ରାଷ୍ଟ୍ରପତି । ରାସ୍ତାରେ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ପାଖକୁ ଯାଇଥିଲେ । ସେମାନଙ୍କ ସହ ହାତ ମିଳାଇବା ସହ ଫଟୋ ବି ଉଠାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚାଲି ଚାଲି ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ ।
ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ପୁରୀ ଜିଲ୍ଲାପାଳ, ଏସପିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ସିଂହଦ୍ୱାର ନିକଟରେ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ ରାଷ୍ଟ୍ରପତି । କୌଳିକ ପଣ୍ଡା ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ଅରୁଣ ସ୍ତମ୍ଭକୁ ଛୁଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ପାଖାପାଖି ୪୫ ମିନିଟ୍ ଶ୍ରୀମନ୍ଦିର ଭିତରେ ରହିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ପୁରୀ ରାଜଭବନରେ ରାଷ୍ଟ୍ରପତି ମହାପ୍ରସାଦ ସେବନ କରିଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସୁଆର ମହାସୁଆର ନିଯୋଗ ପକ୍ଷରୁ ସକାଳ ଧୂପରେ ତିନି ପ୍ରକାର ପିଠା ଓ ୧୪ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା। ପୁରୀରେ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ୨୪ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ।